ଓସାକା: ଜାପାନର ଓସାକାରେ ଚାଲିଛି 2 ଦିନିଆ ଜି 20 ସମ୍ମିଳନୀ । ବିଶ୍ବର ବିଭିନ୍ନ ରାଷ୍ଟ୍ରମୁଖ୍ୟ ଏଥିରେ ଯୋଗ ଦେଇଛନ୍ତି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ବିଶ୍ବର 2 ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଥିବା ବନ୍ଧୁତ୍ବର ଏକ ସ୍ବତନ୍ତ୍ର ମୂହୁର୍ତ୍ତ ଦେଖିବାକୁ ମିଳିଛି ।
ଶୁକ୍ରବାର ସମ୍ମିଳନୀର ତୃତୀୟ ସେସନ ଆରମ୍ଭ ହେବା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଥିବା ଦୋସ୍ତି ଦେଖିବାକୁ ମିଳିଥିଲା । ସେସନରେ ଭାଗ ନେବାକୁ ଯାଉଥିବାବେଳେ ଟ୍ରମ୍ପଙ୍କ ସହ ମୋଦିଙ୍କ ଭେଟ ହୋଇଥିଲା । ସେତେବେଳେ ମୋଦି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥା ହେଉଥିଲେ ।
ତେବେ ସାମନାସାମନି ହେବା ପରେ ଉଭୟଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଦେଖିବାକୁ ମିଳିଥିଲା । ମୋଦିଙ୍କୁ ଦେଖି ଟ୍ରମ୍ପ ତାଳି ମାରି ହାତ ମିଳାଇବାକୁ ଆଗେଇ ଆସିଥିଲେ । ମୋଦି ମଧ୍ୟ ଖୁସିରେ ହାତ ମିଳାଇ ଟ୍ରମ୍ପଙ୍କ ପିଠି ଥାପୁଡେଇଥିଲେ ।
ଏହାସହ ଉଭୟ ଅଳ୍ପ ସମୟ ଲାଗି କିଛି କଥାବାର୍ତ୍ତା ହୋଇଥିବାବେଳେ ଟ୍ରମ୍ପଙ୍କୁ ମୋଦି ଅଲ ଦ ବେଷ୍ଟ ଜଣାଇଥିଲେ । ଏହାପରେ ଟ୍ରମ୍ପ ମଧ୍ୟ ମୋଦିଙ୍କୁ ପଛରୁ ଡାକି ପୁରୁଣା ବନ୍ଧୁ ଭଳି କିଛି କଥା ହୋଇଥିଲେ । ଉଭୟ ଯେପରି ହସି ହସି କଥାବାର୍ତ୍ତା ହେଉଥିଲେ ତାହା ଦେଖି ଲାଗୁଥିଲା ଉଭୟଙ୍କ ମଧ୍ୟରେ ସମ୍ପର୍କ କେତେ ନିବିଡ ।
ତେବେ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଗୁରୁବାର ମୋଦି-ଟ୍ରମ୍ପ ଆଲୋଚନା ହୋଇସାରିଛି । ଏଥିରେ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ, ବାଣିଜ୍ୟ କାରବାର, ପ୍ରତିରକ୍ଷା ପ୍ରସଙ୍ଗ ଓ 5ଜି ନେଟୱାର୍କ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ମୋଦିଙ୍କୁ ନିଜ ପ୍ରକୃତ ବନ୍ଧୁ କହିବା ସହ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲା ଟ୍ରମ୍ପ ।