ୱାଶିଂଟନ/ସିଓଲ: ଉତ୍ତର କୋରିଆର ପୂର୍ବ ଘୋଷିତ ଆଣବିକ ଶକ୍ତି ନେଇ ଜୋରି ହୋଇଛି ନୂଆ ସାଟେଲାଇଟ ଫଟୋ । ଏହି ଫଟୋରେ ଉତ୍ତର କୋରିଆର ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଆଣବିକ ଶକ୍ତି ନେଇ ସୂଚନା ମିଳିପାରିଛି । ଏହି ଶକ୍ତି ବଳରେ ଉତ୍ତର କୋରିଆରେ ଆଣବିକ ଯୁଦ୍ଧର ପ୍ରସ୍ତୁତି ଚାଲିଥିବା ନେଇ ଆନୁମାନ ମଧ୍ୟ କରାଯାଉଛି । ସେପଟେ ପ୍ଲାନେଟ ଲ୍ୟାବ ଦ୍ବାରା ପ୍ରକାଶିତ ଏହି ଫଟୋଗୁଡିକୁ ମିଡଲବରି ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିରେ ବିଶ୍ଲେଷଣ କରାଯାଇଥିଲା ।
ଏଥିରୁ ସ୍ପଷ୍ଟ ହୋଇଛି କି ପ୍ୟୋଙ୍ଗ୍ୟୋଙ୍ଗ ନିକଟବର୍ତ୍ତୀ ୱୋଲୋ-ରି ଗ୍ରାମରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ଓ ଆଣବିକ ଶକ୍ତିର ବିକାଶ ପ୍ରକ୍ରିୟା ଜାରି ରହିଛି । ଉତ୍ତର କୋରିଆରେ ଚାଲିଥିବା ଆଣବିକ ଶକ୍ତି ବିକାଶ ପ୍ରକ୍ରିୟାର ସମସ୍ତ ପ୍ରମାଣ ଏହି ଚିତ୍ରରୁ ସ୍ପଷ୍ଟ ହୋଇଛି । ଏହି ଗାଁରେ ସିକ୍ୟୁରିଟି ପେରିମିଟର, ଅନ-ସାଇଟ ହାଉସିଂ, ଅପ୍ରକାଶିତ ନେତୃତ୍ବଙ୍କ ପରିଦର୍ଶନର ଚିହ୍ନ ଆକାରରେ ସ୍ମାରକୀ ସ୍ଥାପନ ଓ ଅଣ୍ଡରଗ୍ରାଉଣ୍ଡ ସୁବିଧା ରହିଥିବା ବେଳେ ନିକଟରେ ରହିଛି ଏକ ବୋତଲ ପାଣି କାରଖାନା । ବୋତଲ ପାଣି କାରଖାନା ପାଇଁ ଏସମସ୍ତ ସରଞ୍ଜାମର ଆବଶ୍ୟକତା ନଥିଲେ ସୁଦ୍ଧା ହୋଇଥିବା ବ୍ୟବସ୍ଥା ନେଇ ନା ନା ପ୍ରଶ୍ନାବାଚୀ ମଧ୍ୟ ସୃଷ୍ଟି ହୋଇଛି ।
ଏନେଇ ହୋଇଥିବା ବିଶ୍ଲେଷଣ ଓ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି କି ସମ୍ପୃକ୍ତ ଗାଁରେ ରହିଛି ଏକ ଆଣବିକ ଶକ୍ତି ଉତ୍ପାଦନକାରୀ କାରଖାନା । ଏହି କାରଖାନାକୁ ଦୈନିକ ଭାବେ ମାନବାହୀ ଗାଡି ଯଥା କାର, ଟ୍ରକ ଓ ସିପିଂ କଣ୍ଟେନର ଆଦି ଯିବା ଆସିବା କରେ । ଏହି କାରଖାନା ଅତି ସକ୍ରିୟ ଭାବେ ଆଣବିକ ଶକ୍ତି ଉତ୍ପାଦନ ଜାରି ରଖିଥିବା ନେଇ ମଧ୍ୟ ପ୍ରମାଣ ମିଳିଛି । ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ମୁତାବକ ଉତ୍ତର କୋରିଆ ନିଜ ଆଣବିକ ଶକ୍ତି ଉତ୍ପାଦନରେ ରୋକ ଲଗାଇବା ପାଇଁ ଆଲୋଚନା ହୋଇଥିଲା । ହେଲେ ନା ଆଲୋଚନା ସମୟରେ ନା ଆଲୋଚନା ପରେ, ଉତ୍ତର କୋରିଆ ନିଜ ଆଣବିକ ଶକ୍ତି ଉତ୍ପାଦନ ଓ ପ୍ରୟୋଗ ଉପରେ ଲଗାମ ଲଗାଇ ନଥିବା ଦେଖାଯାଇଛି ।
ସୂଚନା ମୁତାବକ ସାଟେଲାଇଟ ଦ୍ବାରା ଉତ୍ତୋଳନ ହୋଇଥିବା ଫଟେ 2015 ମସିହାର ହୋଇଥିବା ବେଳେ ଏହାର ଉତ୍ତର କୋରିଆ ସହ ସମ୍ପର୍କ ଜଣା ପଡିପାରିନଥିବାରୁ ଏହି ତଥ୍ୟକୁ ଲୁକାୟିତ ରଖିବା ପାଇଁ ସ୍ଥିର କରାଯାଇଥିଲା । ସେପଟେ ୱାଶିଂଟନ ଓ ପ୍ୟୋଙ୍ଗ୍ୟାଙ୍ଗ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ମୁତାବକ ଯଦି ଉତ୍ତର କୋରିଆ ନିଜ ଆଣବିକ କାର୍ଯ୍ୟକଳାପରୁ ବିରତ ରୁହେ ତେବେ ଆମେରିକା ସହ ଅନେକ କାରବାରରେ ଏହାକୁ ସାମିଲ କରାଯାଇଥାଆନ୍ତା । ହେଲେ ବିଗତ କିଛି ଦିନ ହେବ ଏନେଇ ଆମେରିକା ସହ ଆଲୋଚନା କରିବା ପାଇଁ ରୋକଠୋକ ମନା କରିଦେଇଛନ୍ତି ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ୍ ଜଙ୍ଗ ଉନ ।
ପ୍ରକାଶିତ ଏହି ତଥ୍ୟକୁ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ଅସ୍ବୀକାର କରିଥିବା ବେଳେ ଆଗକୁ ଅଧିକ ତଦନ୍ତି ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
@IANS