କାଠମାଣ୍ଡୁ: ପଡୋଶୀ ଦେଶ ନେପାଳର ରାଜନୀତିରେ ଘଡିକେ ଛୁଟୁଛି ଘୋଡା । କଡ ଲେଉଟାଉଛି ରାଜନୈତିକ ପାଣିପାଗ । ପୁଣି ତୃତୀୟ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି କେପି ଶର୍ମା ଓଲି । ଗୋଟିଏ ଦିନ ପୂର୍ବରୁ ନେପାଳର ସଂସଦରେ ଆସ୍ଥା ଭୋଟ ହରାଇଥିଲେ କେପି ଶର୍ମା ।
ଶୀତଲ ନିବାସର ଏକ ସମାରୋହରେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ କେପି ଶର୍ମା ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀ ପଦରେ ପୁନର୍ବାର ଶପଥ ନେବା ପୂର୍ବରୁ ଗୁରୁବାର ରାତିରେ ବିରୋଧୀ ଦଳ ସଂସଦରେ ସରକାର ଗଠନ କରିବା ପାଇଁ ସଂଖ୍ୟା ଗରିଷ୍ଠର ପ୍ରମାଣ ଦେବାରେ ବିଫଳ ରହିଥିଲେ ।
ସୋମବାର ନେପାଳ ସଂସଦର ତଳ ଗୃହରେ ବହୁମତ ସାବ୍ୟସ୍ତ କରିପାରିନଥିଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଯାହା ଫଳରେ ତାଙ୍କୁ ଆସ୍ଥା ଭୋଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ମୋଟ 232ରୁ କେପି ଶର୍ମା ଓଲିଙ୍କ ବିରୋଧରେ ପଡିଥିଲା 124 ଭୋଟ ।
ଆସ୍ଥା ଭୋଟର ପ୍ରସ୍ତାବ ରଖି ଓଲି କହିଥିଲେ ଯେ ଦେଶର ବିକାଶ ତଥା ରାଷ୍ଟ୍ର ନିର୍ମାଣ ପାଇଁ କଠିନ ପରିଶ୍ରମ କରୁଥିବା ସରକାରଙ୍କ ଉପରେ ସଂକୀର୍ଣ୍ଣ ତଥା ଦଳଗତ ସ୍ବାର୍ଥ ପାଇଁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ । ଏଥିସହ କାହା ବିରୋଧରେ ମିଥ୍ୟା ଅଭିଯୋଗ ନ କରିବାକୁ ସେ ବିରୋଧୀଙ୍କୁ ଅନୁରୋଧ କରିଥିଲେ ।