ଇସଲାମବାଦ: ଶୁକ୍ରବାର ପାକିସ୍ତାନର 74 ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଦେଶବାସୀଙ୍କୁ ସ୍ବାଧୀନତା ଦିବସର ବାର୍ତ୍ତା ଦେଇ ଏହି ପ୍ରସଙ୍ଗ ଉଠାଇଛନ୍ତି। ଆନ୍ତର୍ଜାତୀୟ ଫୋରମରେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଫଳ ହେବାପରେ ପାକ ପ୍ରଧାନମନ୍ତ୍ରୀ ପୁଣି ପ୍ରସଙ୍ଗ ଉଠାଇଛନ୍ତି ।
ଗତ ବର୍ଷ ଅଗଷ୍ଟ 5ରେ, ଭାରତ ସରକାର ସମ୍ବିଧାନର ଧାରା 370 ଉଚ୍ଛେଦ ପୂର୍ବକ ଜମ୍ମୁକାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ । ଏହାକୁ ଦୁଇଟି ୟୁନିୟନ ଟେରିଟୋରୀରେ ବିଭକ୍ତ କରିଥିଲେ । ଏହି ପଦକ୍ଷେପ ପରେ ପାକିସ୍ତାନ ଭାରତକୁ ବିଶ୍ବ ସମୁଦାୟ ଆଗରେ ଅଡୁଆ ପକାଇବାକୁ ଚାହିଁଛି । ହେଲେ ପାକ ଏଥିରେ ସଫଳ ହୋଇପାରିନି । ଏପରିକି ପୂର୍ବରୁ ପାକିସ୍ତାନକୁ ସମର୍ଥନ କରୁଥିବା ଅଧିକାଂଶ ମୁସଲମାନ ଦେଶ ବର୍ତ୍ତମାନ କାଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ସ୍ୱୀକୃତି ଦେବାସହ ସମର୍ଥନ କରିଛନ୍ତି।
ପାକିସ୍ତାନକୁ ଆର୍ଥିକ ସହାୟତା ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ସାଉଦି ଆରବ ଦେଢ ବର୍ଷ ପୂର୍ବରୁ ପାକ ନେଇଥିବା 3 ବିଲିୟନ ଆମେରିକୀୟ ଡଲାରରୁ 1 ବିଲିୟନ ଆମେରିକୀୟ ଡଲାର ଫେରାଇବାକୁ ନିଷ୍ପତ୍ତି ନେଇଛି । ଭାରତ ଧାରା 370 ରଦ୍ଦ କରିବା ପରଠାରୁ ଅର୍ଗାନାଇଜେସନ ଅଫ ଇସଲାମିକ କୋପରେସନ (ଓଆଇସି)ର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପାଇଁ ପାକିସ୍ତାନ ଦାବି କରିବା ପରେ ଏହି ଘଟଣା ଘଟିଛି।
କାଶ୍ମୀର ପ୍ରସଙ୍ଗରେ ଓଆଇସିର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଇସଲାମାବାଦର ଅନୁରୋଧକୁ ସାଉଦି ଆରବ ଅନିଚ୍ଛା ପ୍ରକାଶ କରିଛି। ଏନେଇ ପାକ ଗଣମାଧ୍ୟମ ସଂସ୍ଥା ଡନ୍ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର କୂଟନୈତିକ ସୂତ୍ରରୁ ପ୍ରକାଶ କରାଯାଇଛି । ଏହା ଛଡା ଭାରତ ନିଜର ଆଭ୍ୟନ୍ତରୀଣ କାର୍ଯ୍ୟରେ ବାରମ୍ବାର ହସ୍ତକ୍ଷେପ ନକରିବାକୁ ପାକକୁ ଅନୁରୋଧ କରିଛି।
ନିଜ ଦେଶରେ ରହୁଥିବା ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ପାକିସ୍ତାନ ନିର୍ଯ୍ୟାତନା ଜାରି ରଖିଛି। ପାକିସ୍ତାନ ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ କାଶ୍ମୀର ଉପରେ ଭାରତ ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗ ଉଠାଉଛି ।
ପାକିସ୍ତାନ ମଧ୍ୟ ତଥାକଥିତ କାଶ୍ମୀର ସୌହାର୍ଦ୍ଦ୍ୟ ଦିବସ ପାଳନ କରିଛି । ହେଲେ ଭାରତକୁ ଲଜ୍ଜିତ କରାଇପାରିନି । ବିଶ୍ବ ସ୍ତରରେ କାଶ୍ମୀର ପ୍ରସଙ୍ଗକୁ ଉପସ୍ଥାପନ କରି ବିଫଳ ହେବାପରେ ପାକିସ୍ତାନ ଏହି ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଥିବା ସ୍ବୀକାର କରିଛନ୍ତି ଇମ୍ରାନ ଖାନ ।
@ANI