ସିଓଲ: ଆୟୋଜିତ ହେବାକୁ ଯାଉଛି ଜି7 ସମ୍ମିଳନୀ । ଏନେଇ ବିଭିନ୍ନ ରାଷ୍ଟ୍ରକୁ ଆମନ୍ତ୍ରଣ କରାଯାଉଥିବା ବେଳେ ଦକ୍ଷିଣ କୋରିଆ ଏଯାଏଁ ଆମନ୍ତ୍ରଣ ପାଇ ନଥିବା ପ୍ରକାଶ କରିଛି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଓଲକୁ ଆମନ୍ତ୍ରଣ କରିବା ନେଇ ସୂଚନା ଦେଇଥିଲେ ବି ଏଯାଏଁ ଆମନ୍ତ୍ରଣ ମିଳିନଥିବା ପ୍ରକାଶ କରିଛି ଦକ୍ଷିଣ କୋରିଆ । ଏଥିପାଇଁ ଆମେରିକା ସହ ଆଲୋଚନା ପରେ ସ୍ପଷ୍ଟ କରିବା ପାଇଁ ରାଷ୍ଟ୍ରପତି କାର୍ଯ୍ୟାଳୟରୁ ସୂଚନା ରହିଛି ।
ପ୍ରକାଶ ଯେ କୋରୋନା ସଂକ୍ରମଣର ପ୍ରଭାବ ଦେଖି ମାର୍ଚ୍ଚ ମାସରେ ଭିଡିଓ କନଫରେନ୍ସିଂ ଜରିଆରେ ଜି7 ସମ୍ମିଳନୀର ଆୟୋଜନ ପାଇଁ ପ୍ରଥମେ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ସମ୍ମିଳନୀକୁ ସେପ୍ଟେମ୍ବର ମାସ କିମ୍ବା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପରେ କରିବାକୁ ଘୋଷଣା କରିଛନ୍ତି । ଏହି ସମ୍ମିଳନୀ ୱାଶିଂଟନରେ ଆୟୋଜନ ହେବାକୁ ଥିବା ବେଳେ ବିଭିନ୍ନ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଭାରତ, ଋଷିଆ, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ଆମନ୍ତ୍ରଣ କରିବାର ଯୋଜନା ରହିଥିବା ମଧ୍ୟ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ।
ଏହି ସମ୍ମିଳନୀରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ୟୁକେ ଓ ୟୁଏସ ମୁଖ୍ୟତଃ ଭାଗ ନେବାର ଯୋଜନା ରହିଛି । ହେଲେ କୋରୋନା ମହାମାରୀ ପାଇଁ ଏହାର ତାରିଖରେ ପରିବର୍ତ୍ତନ କରାଯାଇଥିଲା । ଚଳିତବର୍ଷର ସମ୍ମିଳନୀରେ ଆମେରିକା ହୋଷ୍ଟ ଦାୟିତ୍ବ ନେଇଥିବା ବେଳେ ପୂର୍ବ ସୂଚୀ ମୁତାବକ ଏହା ଜୁନ 10ରୁ 12 ମଧ୍ୟରେ ଆୟୋଜନ ହେବାର ଥିଲା । ସେପଟେ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ ସମ୍ମିଳନୀରେ ଯୋଗ ନଦେବା ନେଇ ଶନିବାର ସ୍ପଷ୍ଟ କରିଛନ୍ତି ।
@IANS