କାବୁଲ: ଆଫଗାନିସ୍ତାନରେ ପୁଣି ଭୟଙ୍କର ବିସ୍ଫୋରଣ । କାନ୍ଦାହାରର ଏକ ମସଜିଦରେ ଶୁକ୍ରବାର ବିସ୍ଫୋରଣ ଘଟିଛି । ଘଟଣାରେ 30ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଜଣ ଆହତ ହୋଇଛନ୍ତି ।
ସିୟା ମସଜିଦରେ ଶୁକ୍ରବାର ନମାଜ ପାଠ ସମୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଇମାମ ବାର୍ଗାହ ମସଜିଦରେ ହୋଇଛି । ବିସ୍ଫୋରଣକୁ ନେଇ ଏଯାଏଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି ।
ବିସ୍ଫୋରଣ ଯୋଗୁଁ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କାନ୍ଦାହାର ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନମାଜପାଠ ସମୟରେ ହିଁ ବିସ୍ଫୋରଣ ହୋଇଥିବା ପୋଲିସ କହିଛି ।
8 ଅକ୍ଟୋବରରେ କୁନ୍ଦୁଜ ପ୍ରାନ୍ତ ସ୍ଥିତ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ 100ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ । ସେହପରି ଏହାପୂର୍ବରୁ ତାଲିବାନ ମୁଖପାତ୍ର ଜବିଉଲ୍ଲାହ ମୁଜାହିଦଙ୍କ ମା'ଙ୍କ ପାଇଁ ରଖାଯାଇଥିବା ପ୍ରାର୍ଥନା ସଭାରେ ବିସ୍ଫୋରଣ ହୋଇଥିଲା । ଏଥିରେ ଅନେକ ପ୍ରାଣ ହରାଇଥିଲେ ।
ଏହାପୂର୍ବରୁ ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ସିରିଜ୍ ବିସ୍ଫୋରଣ ଘଟଣାରେ 100 ଜଣଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କୀ ସଂଗଠନ ISIS-K ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ 13 ଆମେରିକା ସୈନ୍ୟ ପ୍ରାଣ ହରାଇଥିଲେ ।