ବାଲୁଚିସ୍ତାନରେ ବଢୁଛି ପାକିସ୍ତାନର ଅତ୍ୟାଚାର, ଲଣ୍ଡନରେ ଶୁଭିଲା ପାକ୍ ବିରୋଧୀ ନାରା - pakistan
ବାଲୁଚିସ୍ତାନର ମହିଳା ଏବଂ ଶିଶୁ ମାନଙ୍କୁ ହତ୍ୟା କରୁଛନ୍ତି ପାକିସ୍ତାନୀ ସାମରିକ ବାହିନୀ । ତେବେ ଏହାକୁ ବିରୋଧ କରି ବ୍ରାମଶ ଏକତା କମିଟି ଦ୍ୱାରା ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।
ଲଣ୍ଡନ: ବାଲୁଚିସ୍ତାନରେ ପାକିସ୍ତାନ ସେନାର ବର୍ବରତା ବଢିବାରେ ଲାଗିଛି । ବାଲୁଚିସ୍ତାନର ମହିଳା ଏବଂ ଶିଶୁ ମାନଙ୍କୁ ହତ୍ୟା କରୁଛନ୍ତି ପାକିସ୍ତାନୀ ସାମରିକ ବାହିନୀ । ତେବେ ଏହାକୁ ବିରୋଧ କରି ବ୍ରାମଶ ଏକତା କମିଟି ଦ୍ୱାରା ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ରବିବାର ଲଣ୍ଡନର 10 ଡାଉନିଂ ଷ୍ଟ୍ରିଟରେ ଏହି ପ୍ରଦର୍ଶନ କରାଯାଇଛି । ବାଲୁଚିସ୍ତାନରେ ଦିନକୁ ଦିନ ବଢୁଥିବା ମାନବ ଅଧିକାର ଉଲ୍ଲଂଘନ ତଥା ହର୍ଣ୍ଣାଇ ଘଟଣା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ବିକ୍ଷୋଭକାରୀ । ଏହା ସହିତ ବାଲୁଚିସ୍ତାନ ଲୋକଙ୍କ ନ୍ୟାୟ ପାଇଁ ସେମାନେ ଦାବି କରିଥିଲେ ।
ନିକଟରେ ପାକିସ୍ତାନୀ ସେନା ବାଲୁଚିସ୍ତାନର 9 ବର୍ଷର ଝିଅ ନାଜ ବିବିଙ୍କ ସମେତ କାଇସର ଚଲଗରୀଙ୍କ ପରିବାରକୁ ହତ୍ୟା କରିଥିଲା। ତେବେ ବାଲୁଚ ନ୍ୟାସନାଲ ମୁଭମେଣ୍ଟ ୟୁକେ ଜୋନର ସଭାପତି ହାକିମ ବାଲୋଚ ଏନେଇ କହିଛନ୍ତି, ବ୍ରିଟେନର ବାଲୁଚ ସମ୍ପ୍ରଦାୟ ବାଲୁଚିସ୍ତାନରେ ପାକିସ୍ତାନ ସେନାର କାର୍ଯ୍ୟକୁ କଡା ନିନ୍ଦା କରୁଛି । ସେହିପରି ବାଲୁଚିସ୍ତାନର ଅବଦୁଲ୍ଲା ବାଲୁଚ ନେତା ରାଜି ଜ୍ରୁମ୍ବେଶ କହିଛନ୍ତି, ବାଲୁଚିସ୍ତାନରେ ଆତଙ୍କ ସୃଷ୍ଟି କରିବା ପାଇଁ ପାକିସ୍ତାନ ନିରୀହ ବାଲୁଚି ମହିଳାଙ୍କୁ ହତ୍ୟା କରି ସେମାନଙ୍କ ଘର ଉପରେ ଆକ୍ରମଣ କରୁଛି । ଲୋକମାନେ ଏବେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।
ବାଲୁଚିସ୍ତାନ ପ୍ରଦେଶର ବହୁ ସଂଖ୍ୟକ ରାଜନୈତିକ କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ, ମହିଳା ଏବଂ ଶିଶୁ ନିଖୋଜ ଅଛନ୍ତି । ଅନେକ ଅପହରଣ ଏବଂ ହତ୍ୟାର ଶିକାର ହେଉଛନ୍ତି । ୟୁରୋପ ତଥା ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ଆଶ୍ରୟ ନେଇଥିବା ବହୁ ସଂଖ୍ୟକ ବାଲୁଚି ଅନ୍ତର୍ଜାତୀୟ ସମ୍ପ୍ରଦାୟର ସମର୍ଥନ ବଢାଇବା ତଥା ବାଲୁଚିସ୍ତାନରେ ମାନବ ଅଧିକାରର ଉଲ୍ଲଂଘନକୁ ରୋକିବା ପାଇଁ ପାକିସ୍ତାନ ଏବଂ ଏହାର ସୁରକ୍ଷା ଏଜେନ୍ସି ଉପରେ ଚାପ ପ୍ରୟୋଗ ଜାରି ରଖିଛନ୍ତି।