ୱାଶିଂଟନ୍: ବିଶ୍ବଶକ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଭାରତ ଓ ଚୀନ । ଟ୍ରମ୍ପଙ୍କ ଚେତାବନୀ ଦୁଇ ଦେଶ ବହୁତ ସୁବିଧା ପାଇଲେଣି, ତାହା ଆଉ ହେବାକୁ ମୁଁ ଦେବି ନାହିଁ ।
ଟ୍ରମ୍ପ କହିଛନ୍ତି, "ଭାରତ ଓ ଚୀନ ଦୁଇ ବିକାଶଶୀଳ ରାଷ୍ଟ୍ର ବୋଲି ଡବ୍ଲ୍ୟୁଟିଓ (ବିଶ୍ବ ବାଣିଜ୍ୟ ସଂଗଠନ) ମାନ୍ୟତା ଦେଇଛି । ମାତ୍ର ପ୍ରକୃତରେ ସେମାନେ ବିକାଶଶୀଳ ରାଷ୍ଟ୍ର ନୁହଁନ୍ତି । ସେମାନେ ଏବେ ବିକଶିତ । ତେଣୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ପାଇ ସେମାନେ ବହୁ ସୁବିଧା ହାସଲ କରୁଛନ୍ତି । କିନ୍ତୁ ମୁଁ ଆଗକୁ ଏହା ଆଉ ହେବାକୁ ମୁଁ ଦେବି ନାହିଁ । "
ତେବେ ଭାରତ ଆମେରିକା ଦ୍ରବ୍ୟ ଉପରେ ଅଧିକ ସୀମା ଶୁଳ୍କ ଲଗାଇଥିବାରୁ ଏନେଇ ଟ୍ରମ୍ପ ଭାରତକୁ ବାରମ୍ବାର ସମାଲୋଚନା କରି ଆସୁଛନ୍ତି । ଏଥିସହିତ ଭାରତକୁ "କର ରାଜା" ବୋଲି ମଧ୍ୟ କହିଛନ୍ତି । ସେହିପରି ବର୍ତ୍ତମାନ ଚୀନ ଓ ଆମେରିକା ମଧ୍ୟରେ ମଧ୍ୟ ଟ୍ରେଡ୍ ୱାର ଲାଗିଛି । ଟ୍ରମ୍ପ ଚୀନ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିଛନ୍ତି । ଅନ୍ୟପଟେ ବେଜିଂ ମଧ୍ୟ ଆମେରିକା ସାମଗ୍ରୀ ଉପରେ ସମାନ କାର୍ଯାନୁଷ୍ଠାନ ଗ୍ରହଣ କରିଛି ।
ତେବେ ନିକଟରେ ଟ୍ରମ୍ପ ଡବ୍ଲ୍ୟୁଟିଓକୁ ପ୍ରଶ୍ନ ପଚାରିଛନ୍ତି, "ୱାର୍ଲଡ ଟ୍ରେଡ୍ ସେଣ୍ଟର କେମିତି ଗୋଟିଏ ଦେଶକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦିଏ । ଚୀନ, ଭାରତ ଓ ତୁର୍କୀ ଭଳି ଦେଶକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଥିବାରୁ ଏମାନେ ବହୁ ସୁବିଧା ସୁଯୋଗ ହାସଲ କରୁଛନ୍ତି ।"