ମୁମ୍ବାଇ: ହୋଟେଲ ରୁମ୍ରୁ ମିଳିଲା ମଡେଲଙ୍କ ମୃତଦେହ । ମୁମ୍ବାଇର ଅନ୍ଧେରୀ ଅଞ୍ଚଳରୁ ଜଣେ ମଡେଲଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଘଟଣାସ୍ଥଳରୁ ଏକ ସୁସାଇଡ୍ ନୋଟ ମଧ୍ୟ ଜବତ କରାଯାଇଛି । ପୋଲିସର ସୂଚନାନୁସାରେ, ମଡେଲଙ୍କ ମୃତଦେହ ହୋଟେଲ ରୁମର ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ଅନୁଯାୟୀ, 40 ବର୍ଷୀୟା ମଡେଲ ରାତି 8ଟା ସମୟରେ ହୋଟେଲରେ ଚେକ୍ ଇନ୍ କରିଥିଲେ । ଏହା ପରେ ସେ ଖାଦ୍ୟ ମଧ୍ୟ ଅର୍ଡର କଲେ । ହାଉସ୍କିପିଂ ଷ୍ଟାପ୍ ଖାଇବା ନେଇ ମଡେଲଙ୍କ ରୁମ୍ରେ ପହଞ୍ଚିବା ପରେ ଦେଖିଲେ କବାଟ ବନ୍ଦ ଥିଲା। ହାଉସ୍କିପିଂ ଷ୍ଟାପ୍ ବାରମ୍ବାର ଡାକିବା ସତ୍ତ୍ବେ କବାଟ ଖୋଲି ନଥିଲା ଏବଂ ଭିତରୁ କୌଣସି ଶବ୍ଦ ମଧ୍ୟ ଶୁଣିବାକୁ ମିଶୁନଥିଲା, ଏହା ପରେ ସେ ହୋଟେଲ ମ୍ୟାନେଜରଙ୍କୁ ଜଣାଇଥିଲେ। ହୋଟେଲ ମ୍ୟାନେଜର ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ, ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବାକୁ ଚେଷ୍ଟା କରିଥିଲା।
ମାଷ୍ଟର ଚାବି ସହିତ କବାଟ ଖୋଲାଯାଇଥିଲା
ପୋଲିସର ଉପସ୍ଥିତିରେ ମାଷ୍ଟର ଚାବି ସହିତ କବାଟ ଖୋଲା ଯାଇଥିଲା । ରୁମ୍ରେ ମହିଳାଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ମୃତଦେହକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରୁ ଏକ ସୁସାଇଡ୍ ନୋଟ ମଧ୍ୟ ଜବତ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।
ମୁଁ ଖୁସିରେ ନାହିଁ, ଶାନ୍ତି ଚାହୁଁଛି...
ପୋଲିସ ଅଧିକାରୀଙ୍କ କହିବାନୁସାରେ, 40 ବର୍ଷୀୟା ମଡେଲ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାଁନ୍ତି । ସେ ଲେଖିଛନ୍ତି, ମୁଁ କ୍ଷମା ଚାହୁଁଛି, ଏଥିପାଇଁ କେହି ଦାୟୀ ନୁହଁନ୍ତି । କେବଳ ମୁଁ ଖୁସିରେ ନାହିଁ ଏବଂ ବର୍ତ୍ତମାନ ମୁଁ ଶାନ୍ତି ଚାହୁଁଛି । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି । ମହିଳାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି ।