କୋଲମ(କେରଳ): ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ମାଲୟାଲମ ଅଭିନେତା କୁନ୍ଦରା ଜୋନି । ହୃଦଘାତରେ ପୀଡ଼ିତ ହୋଇ ଅଭିନେତା ଏକ ଘରୋଇ ହସ୍ପିଟାଲରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ଅଭିନେତାଙ୍କୁ ୭୧ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏବଂ ଏପରି ଭେଟେରାନ ଅଭିନେତାଙ୍କ ବିୟୋଗ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।
ସୂଚନା ଅନୁସାରେ, ଅଭିନେତା ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ କୋଲମର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ସେ ହୃଦଘାତରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିନେତା ତାଙ୍କର ଦୀର୍ଘ କ୍ୟାରିଅର୍ ମଧ୍ୟରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରି ଲାଇମଲାଇଟରେ ରହିବା ସହ ଦର୍ଶକଙ୍କ ମନ ଜିତିଆସୁଥିଲେ ।
ତେବେ ତାଙ୍କିକ ବିୟୋଗରେ ଇଣ୍ଡଷ୍ଟ୍ରିର ତାରକାଙ୍କ ସମେତ ଅନେକ ବ୍ୟକ୍ତବିଶେଷ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଲୋକପ୍ରିୟ ଭିନେତା ମୋହନଲାଲ ତାଙ୍କ ଅଫିସିଆଲ୍ ଫେସ୍ବୁକ୍ରେ କୁନ୍ଦରାଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳୀ ଜଣାଇ ଏକ ନୋଟ୍ ସେୟାର କରି ଲେଖିଛନ୍ତି । 'ପ୍ରିୟ ଜନି ଆମକୁ ବିଦାୟ ଦେଇଛନ୍ତି । ଆଇକନିକ୍ 'କିରିଦମ୍' ଏବଂ 'ଚେଙ୍କୋଲ୍' ସମେତ ଅନେକ ଚଳଚ୍ଚିତ୍ରରେ ଆମେ ସ୍କ୍ରିନ୍ ସେୟାର କରିଥିଲୁ । ସେ ଅନସ୍କ୍ରିନ୍ରେ ସିନା ଖଲନାୟକ ଭୂମିକାରେ ନଜର ଆସୁଥିଲେ ହେଲେ ସେ ବାସ୍ତବ ଜୀବନରେ ବହୁତ ନମ୍ର ଏବଂ ସରଳ ଅଟନ୍ତି । ମୋର ପ୍ରିୟ ଜନି, ଆମେ କେବଳ ଜଣେ ଅସାଧାରଣ ଅଭିନେତାଙ୍କୁ ହରାଇ ନାହୁଁ, ଆମେ ଆମର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଛୁ । ମୁଁ ହୃଦୟରୁ ସମବେଦନା ଜଣାଉଛୁ ।' ଏଥିସହ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ କୁନ୍ଦରା ଜୋନିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ସୂଚନା ଥାଉ କି, 500 ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ମାଲାୟାଲମ୍ ଇଣ୍ଡଷ୍ଟ୍ରିରେ ଏକ ଲୋକପ୍ରିୟ ତାରକା ଭାବେ ବେଶ ପରିଚିତ । 'କିରୟାତମ୍', 'ଗଡଫାଦର' ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ତାଙ୍କ ଭୂମିକା ଜୋନିଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ଜୋନି 1979ରେ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ "କିରିଦମ୍" ଏବଂ "ଚେଙ୍କୋଲ" ପରି ହିଟ୍ ଚଳଚ୍ଚିତ୍ରରେ ତାଙ୍କର ଉଲ୍ଲେଖନୀୟ ଅଭିନୟ ପାଇଁ ସେ ବେଶ ପ୍ରଶଂସା ସାଉଁଟିଥିଲେ । ସେ ଶେଷ ଥର ପାଇଁ ଉନି ମୁକୁନ୍ଦନ ଷ୍ଟାରର୍ ଫିଲ୍ମ 'ମେପ୍ପାଦିଆନ୍'ରେ ଅଭିନୟ କରିଥିଲେ । ତାଙ୍କର ଏହି ଚଳଚ୍ଚିତ୍ର 'ମେପ୍ପାଦିଆନ୍' 2022ରେ ମୁକ୍ତିଲାଭ କରିଥିଲା ।
ଏହା ମଧ୍ୟ ପଢନ୍ତୁ: 80 ବର୍ଷ ବୟସରେ ଆଖି ବୁଜିଲେ ଫିଲ୍ମ ନିର୍ମାତା ପିଭି ଗଙ୍ଗାଧରନ
ଜୋନି ତେଲୁଗୁ, କନ୍ନଡ ଏବଂ ତାମିଲର ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ସେ 4 ଦଶନ୍ଧି ଧରି 500ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଥିଲେ । ଏବଂ ଏହି ଅଭିନେତା କେବଳ ଆଇଭି ସାସିଙ୍କ ଦ୍ୱାରା ନିର୍ମିତ ୩୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । କୁନ୍ଦରା ଜୋନି ପୂର୍ବରୁ ଜଣେ କ୍ରୀଡ଼ା ଉତ୍ସାହୀ ଥିଲେ ଏବଂ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ କ୍ରୀଜା ପ୍ରତି ତାଙ୍କର ଉତ୍ସାହକୁ ବଜାୟ ରଖିଥିଲେ ।