ହାଇଦ୍ରାବାଦ: ବଲିଉଡ ମସ୍ତାନି ଦୀପିକା ପାଦୁକୋନ ଏବଂ ବାଦଶାହ ଶାହାରୁଖ ଖାନଙ୍କ ଯୋଡିକୁ ବେଶ ଭଲ ପାଇବା ଦେଇ ଆସୁଛନ୍ତି ଫ୍ୟାନ୍ସ । ଅନେକ ଫିଲ୍ମ ଜରିଆରେ ଏହାର ପ୍ରମାଣ ମଧ୍ୟ ରହିଛି । ତେବେ ବର୍ତ୍ତମାନ ସମୟରେ ବକ୍ସ ଅଫିସରେ ଧମାଲ ମଚାଇବାରେ ଲଗାଛି ଶାହାରୁଖ ଖାନଙ୍କ ଫିଲ୍ମ ଜବାନ । 75 କୋଟି ଓପନିଂରେ ଇତିହାସ ରଚିଥିବା ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରିଛି । କଳାକାରଙ୍କ ଠାରୁ ନେତା ଅନେକ ଜବାନ ଦେଖି ଶାହରୁଖଙ୍କୁ ପ୍ରଶଂସା କରିଛନ୍ତି । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଶାହାରୁଖ ଖାନଙ୍କର ଏହା ହେଉଛି ଦ୍ୱିତୀୟ ଚଳଚ୍ଚିତ୍ର । ପ୍ରଥମ ଚଳଚ୍ଚିତ୍ର ରେକର୍ଡ କରିଥିବା ବେଳେ ଦ୍ବିତୀୟଟି ମଧ୍ୟ ରେକର୍ଡ କରିଛି । ତେବେ ଉଭୟ ଚଳଚ୍ଚିତ୍ରର ବିଶେଷତା ଦୀପିକା ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି । ଦୀପିକା ପଠାନରେ ମୁଖ୍ୟ ଭୂମିକା ବା ଲିଡ ରୋଲରେ ନଜର ଆସିଥିବାବେଳେ ଜବାନରେ ଦୀପିକାଙ୍କର କେମୋ ରୋଲ ରହିଛି । ଜବାନରେ ମଧ୍ୟ ମସ୍ତାନୀର ଚରିତ୍ରକୁ ବହୁତ ପ୍ରଶଂସା କରାଯାଇଛି । ତେବେ ଦୀପିକା ଏବଂ ଶାହାରୁଖଙ୍କ କେମେଷ୍ଟ୍ରିକୁ ନେଇ ମୁହଁ ଖୋଲିଛନ୍ତି ମସ୍ତାନୀ ।
ନିକଟରେ ଦୀପିକା ଏକ ସାକ୍ଷାତକାରରେ ଶାହାରୁଖ ଖାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି । ବିଶେଷ କଥା ହେଉଛି ଦୀପିକା ଓମ୍ ଶାନ୍ତି ଓମ୍ ଫିଲ୍ମରେ ଶାହାରୁଖଙ୍କ ସହ ଡେବ୍ୟୁ କରିଥିଲେ । ସେବେ ଠାରୁ ଉଭୟ ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ ଏବଂ ଦୁହଁଙ୍କର ଫିଲ୍ମ ମଧ୍ୟ ବ୍ଲକବାଷ୍ଟର ହେବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: Jawan: ସ୍କ୍ରିପ୍ଟରେ ନଥିଲା 'ବେଟେ କୋ ହାଥ ଲଗାନେ ସେ' ଡାଇଲଗ୍, ଖୁଲାସା କଲେ ଲେଖକ
ଦୁହେଁ ଦୁହିଁଙ୍କ ପାଇଁ ଲକି ଚାର୍ମ: ଏକ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ଦୀପିକା ପାଦୁକୋନ ଶାହାରୁଖ ଖାନଙ୍କ ସହ ତାଙ୍କ ସମ୍ପର୍କ ଏବଂ କେମେଷ୍ଟ୍ରିକୁ ନେଇ ମୁହଁ ଖୋଲିଛନ୍ତି । ଦୀପିକା କହିଛନ୍ତି, "ମୋତେ ଲାଗୁଛି ଯେ ଆମେ ପରସ୍ପରର ଲକି ଚାର୍ମ । କିନ୍ତୁ ଆମ ସମ୍ପର୍କ ଆହୁରି ଗଭୀର ଏବଂ ନିବିଡ ଅଟେ । ଆମେ ପରସ୍ପରର ଲକି ଚାର୍ମ ସତ କିନ୍ତୁ ଆମେ ଭାଗ୍ୟ ଠାରୁ ମଧ୍ୟ ଆଗରେ ରହିଛୁ । ସବୁ ପରିସ୍ଥିତିରେ ଆମେ ଦୁହେଁ ଦୁହିଁଙ୍କ ଉପରେ ବିଶ୍ବାସ କରୁ ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆମର ସମ୍ପର୍କ ବିଶ୍ୱାସ ଏବଂ ସମ୍ମାନର ମୂଳଦୁଆ ଉପରେ ରହିଛି । ସେ ବହୁତ କମ ଲୋକଙ୍କ ସହିତ କ୍ଲୋଜ ହୁଅନ୍ତି, ତାଙ୍କ ମଧ୍ୟରୁ ମୁଁ ଜଣେ । ଆମେ ପରସ୍ପରକୁ ବହୁତ ବିଶ୍ୱାସ କରୁ ଏବଂ ସମ୍ମାନ କରୁ ଏବଂ ମୁଁ ଭାବୁଛି ଭାଗ୍ୟ ଏହା ଉପରେ ଏକ ଚେରି ସଦୃଶ ରହିଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ