ମୁମ୍ବାଇ: ଘୋଷଣା ହୋଇଛି 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । 'ଗଙ୍ଗୁବାଇ କାଠିଆୱାଡି' ଏବଂ 'ମିମି' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ଏବଂ କ୍ରିତି ସାନନଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ମିମି ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ପଙ୍କଜ ତ୍ରିପାଠୀଙ୍କୁ ଜାତୀୟ ପୁରସ୍କାର ମିଳିବ । ତେବେ ଏହି ସଫଳତା ପରେ ଆଲିଆ ଭଟ୍ଟ, କ୍ରିତି ସାନନ ସେଲିବ୍ରେସନ କରୁଥିବା ବେଳେ ସୋସିଆଲ ମିଡିଆରେ ନୋଟ ସେୟାର କରି ଫ୍ୟାନ୍ସ ଏବଂ ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି । ସେ ତାଙ୍କ ବିଜେତା ସାଥୀ କ୍ରିତି ସାନନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନିକଟରେ ପିତାଙ୍କୁ ହରାଇବା ପରେ ପଙ୍କଜ ତ୍ରିପାଠୀ ଏହି ସଫଳତା ହାସଲ କରିଥିବା ବେଳେ ଏନେଇ ସେ ବେଶ ଭାବବିହ୍ବଳ ହୋଇଛନ୍ତି ।
ଆଲିଆ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ସହ ଏକ ନୋଟ୍ ସେୟାର କରିଛନ୍ତି। ସେ ଲେଖିଛନ୍ତି, ସଂଜୟ ସାରଙ୍କୁ ଏବଂ ସମଗ୍ର ଟିମକୁ, ମୋ ପରିବାରକୁ, ମୋ ଟିମକୁ ଏବଂ ଶେଷରେ ମୋର ଦର୍ଶକଙ୍କ ପାଇଁ ବହୁତ ଭଲପାଇବା। ଏହି ଜାତୀୟ ପୁରସ୍କାର ଆପଣଙ୍କର ଅଟେ । କାରଣ ଆପଣଙ୍କ ବିନା ଏହା ସମ୍ଭବପର ନୁହେଁ । ମୁଁ ଆପଣଙ୍କ ପାଖରେ ବହୁତ କୃତଜ୍ଞ । ମୁଁ ଏପରି ମୁହୂର୍ତ୍ତକୁ ହାଲୁକା ଭାବେ ଗ୍ରହଣ କରୁନାହିଁ । ମୁଁ ଆଶା କରେ ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଏପରି ମନୋରଞ୍ଜନ କରିବି । ଭଲପାଇବା ଗାଙ୍ଗୁ (ଆଲିଆ ନାମରେ ମଧ୍ୟ ଜଣାଶୁଣା)।'
ଏଥିସହ କ୍ରିତି ସାନନଙ୍କୁ ଅଭିନନ୍ଦନ ଜଣାଇ ଆଲିଆ ଲେଖିଛନ୍ତି, 'କ୍ରିତି, ମୁଁ ମିମିଙ୍କୁ ଦେଖିବା ଦିନ ତୁମକୁ ମେସେଜ କରିବା ମନେ ଅଛି। ଏହା ଏକ ସଚ୍ଚୋଟ ଏବଂ ଦମଦାର ପ୍ରଦର୍ଶନ ଥିଲା। ମୁଁ କାନ୍ଦି ପକାଇଥିଲି। ଏଥିପାଇଁ ତୁମେ ଯୋଗ୍ୟ। ଆଲିଆଙ୍କ ଅଭିନନ୍ଦନ ପରେ କ୍ରିତି ସାନନ୍ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଲାଲ ହାର୍ଟ ଇମୋଜି ସହ ପ୍ରତିକ୍ରିୟାରେ ଲେଖିଛନ୍ତି, 'ଶୀଘ୍ର ସେଲିବ୍ରେଟ କରିବା।' ଏହି ପୋଷ୍ଟ ସେୟାର ହେବା ପରେ ଆଲିଆଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଦୀପିକା ପାଦୁକୋନ, ରଣଭୀର ସିଂ, କରଣ ଜୋହର, ଅନୁଷ୍କା ଶର୍ମା, ଅନିଲ କପୁର, ସୋନାକ୍ଷୀ ସିହ୍ନା, ଦିଆ ମିର୍ଜା, ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ତାଙ୍କୁ ଏହି ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ଅଭିନେତ୍ରୀଙ୍କ ମା' ସୋନି ରଜଦାନ ମଧ୍ୟ ତାଙ୍କ ଝିଅ ଆଲିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେହିପରି କ୍ରିତି ସାନନ୍ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ନୋଟ୍ ସେୟାର କରିଛନ୍ତି । ଲାଲ ହାର୍ଟ ଇମୋଜି ସହ କ୍ୟାପସନରେ ଲେଖିଛନ୍ତି, 'ଆଖି ଆର୍ଦ୍ର, ହୃଦୟପୂର୍ଣ୍ଣ । ମିମି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇ ବେଶ ଖୁସି । ସେ ତାଙ୍କ ପରଫର୍ରମାନ୍ସ ପାଇଁ ଚୟନ କରିଥିବାରୁ ଜୁରି ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକ୍ଷ୍ମଣ ସାର୍ ସବୁବେଳେ କହୁଥିଲେ, ଦେଖ ମିମି ଏହି ଫିଲ୍ମ ପାଇଁ ତୁମେ ନିଶ୍ଚୟ ଜାତୀୟ ପୁରସ୍କାର ପାଇବ । ମିଳିଗଲା ସାର୍ । ମୁଁ ଆପଣଙ୍କ ବିନା କିଛି କରିପାରିନଥାନ୍ତି । ଧନ୍ୟବାଦ ସାର୍ । ଏଥିସହ ସେ ଏହି ସଫଳତା ପାଇଁ ତାଙ୍କ ମାଆ, ବାପା ଏବଂ ଭଉଣୀକୁ ମଧ୍ୟ ଶ୍ରେୟ ଦେଇଛନ୍ତି । କ୍ରିତି ଶେଷରେ ଆଲିଆଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା' ପାଇଁ ଅଲ୍ଲୁ ଅର୍ଜୁନ ଜିତିଲେ ପ୍ରଥମ ଜାତୀୟ ପୁରସ୍କାର, ପରିବାର ସହିତ ସେଲିବ୍ରେଟ କଲେ ଖୁସି
ସେପଟେ ମିମି ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ପଙ୍କଜ ତ୍ରିପାଠୀ ମନୋନିତ ହୋଇଛନ୍ତି । ନିକଟରେ ଅଭିନେତା ତାଙ୍କ ବାପାଙ୍କୁ ହରାଇଥିଲେ । ଏହିପରି ଦୁଃଖଦ ସମୟରେ ସେ ଜାତୀୟ ପୁରସ୍କାର ହାସଲ କରିଥିବା ନେଇ ଭାବପ୍ରବଣ ହୋଇଯାଇଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, ଏହା ମୋ ପାଇଁ ଏକ ଶୋକର ସମୟ ଅଟେ । ଯଦି ବାପା ମୋ ଆଖପାଖରେ ଥାନ୍ତେ ତେବେ ସେ ବେଶ ଖୁସି ହେବା ସହ ଗର୍ବ କରିଥାନ୍ତେ । ମୋ ଆୱାର୍ଡ ମୁଁ ମୋ ବାପାଙ୍କୁ ସମର୍ପିତ କରୁଛି । ମୁଁ ଆଜି ଯାହା କିଛି ଅଛି କେବଳ ମୋ ବାପାଙ୍କ ପାଇଁ। ଏହି ସମୟରେ ମୋ ପାଖରେ କିଛି ଶଦ୍ଦ ନାହିଁ କହିବାକୁ, କିନ୍ତୁ ମୁଁ ବେଶ ଖୁସି ଅଛି । ମୋର ଟିମକୁ ମଧ୍ୟ ମୁଁ ଶ୍ରେୟ ଦେଉଛି । କ୍ରିତିଙ୍କୁ ବି ଧନ୍ୟବାଦ ଜଣାଉଛି ।