ପୁରୀ: ପ୍ରଳୟଙ୍କାରୀ ବାତ୍ୟାରେ ଶ୍ରୀହିନ ହୋଇଯାଇଛି ଶ୍ରୀକ୍ଷେତ୍ର । ଯେଉଁ ସହର ଦିନେ ସାରା ବିଶ୍ବକୁ ଆଧ୍ୟତ୍ମିକତା, ମାନବିକତା ଦିଗ୍ ଦର୍ଶନ ଦେଉଥିଲା, ସେହି ସହର ଆଜି ଅସହାୟ ହୋଇପଡିଛି । କିଛି ବର୍ଷ ତଳେ ମହାପ୍ରଭୁଙ୍କ ନବକଳେବର ପାଇଁ ନବବଧୂ ପରି ସଜେଇ ହୋଇଥିବା ପୁରୀ ଫନି ଯୋଗୁଁ ଛାରଖାର ହୋଇଯାଇଛି । ବଡଦାଣ୍ଡରୁ ସମୁଦ୍ର କୂଳ, ଶ୍ରୀମନ୍ଦିରରୁ ଆନନ୍ଦ ବଜାର ଚାରିଆଡେ ଖାଁ ଖାଁ ।
ଏପରିକି ଏହି ସାମୁଦ୍ରିକ ଝଡ ଫନି ଫଣାରୁ ସ୍ବୟଂ ମହାପ୍ରଭୁ ବିଶ୍ବନୟନ୍ତା ମଧ୍ୟ ବର୍ତ୍ତୀ ପାରିନାହାଁନ୍ତି । ସୃଷ୍ଟିର ସୃଷ୍ଟି କର୍ତ୍ତା ମଧ୍ୟ ନିଜେ ରଚିଥିବା ତାଣ୍ଡବର ଶିକାର ହୋଇଛନ୍ତି ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟ ମନ୍ଦିରର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବରେ ଥିବା ଦୁଇଟି ସିଂହ ମୂର୍ତ୍ତୀ ଭାଙ୍ଗିଯାଇଥିବା ଜଣା ପଡିଛି । କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଜଡିତ ଥିବା କଳ୍ପବଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଶ୍ରୀମନ୍ଦିର ମରାମତି ପାଇଁ ASI ବାନ୍ଧିଥିବା ଲୁହା ଭାର ମଧ୍ୟ ଭୁଶୁଡି ପଡିଛି ।
ଆଉ ସବୁଠାରୁ ଉଦବେଗର କଥା ହେଲା ମହାପ୍ରଭୁଙ୍କ ଦର୍ଶନ ବାଧାପ୍ରାପ୍ତ ହେଉଥିବା ବେଳେ ମହାବାହୁଙ୍କର ମହାପ୍ରସାଦ ମଧ୍ୟ ମିଳିପାରୁନାହିଁ । ଶ୍ରୀମନ୍ଦିର ସମେତ ପୁରୀରେ ଥିବା ସମସ୍ତ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି ଯାହା ରାଜ୍ୟବାସୀଙ୍କୁ ବ୍ୟତିଥ କରିଛି । ସବୁବେଳେ ଯେଉଁ ବଡଦାଣ୍ଡରେ "ଜୟ ଜଗନ୍ନାଥ" ଧ୍ବନିରେ ପ୍ରକମ୍ପିତ ହେଉଥିଲା ଏବେ ନୀରବି ଯାଇଛି କାଳିଆର ଏହି ଦାଣ୍ଡ । ଯେଉଁ ସମୁଦ୍ର କୂଳ ଦେଶ ବିଦେଶର ପର୍ଯ୍ୟଟକଙ୍କ କୋଳାହଳରେ ଫାଟି ପଡୁଥିଲା ଏବେ ସମୂର୍ଣ୍ଣ ନିରବୀ ଯାଇଛି ସେହି ଶରଧା ବାଲି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା କୋଣାର୍କ ଚନ୍ଦ୍ରଭାଗା ମେରାଇନ ଡ୍ରାଇଭ ପୁରା ଶୁନଶାନ ପାଲଟି ଯାଇଛି ।
ଏହାସହ ରାଜ୍ୟର ଚର୍ଚ୍ଚିତ ବସଷ୍ଟାଣ୍ଟ ପାଲଟିଥିବା ପୁରୀ ମାଳତିପାଟପୁର ବସଷ୍ଟାଣ୍ଟ ଏବେ ଯେମିତି ହୋଇଯାଇଛି ଆକ୍ତା ମାକ୍ତା । ବଦଳି ଯାଇଛି ମାଳତିପାଟପୁର ବସଷ୍ଟାଣ୍ଟର ପୂର୍ବ ଚିତ୍ର । କହିବାକୁ ଗଲେ ଦେଶର ଏହି ସାଂସ୍କୃତିକ ପର୍ଯ୍ୟଟନ ସହର ଏବେ ସଂପୂର୍ଣ୍ଣ ରୂପେ ଶ୍ରୀହିନ ହୋଇପଡିଛି । ଭୁଷୁଡି ପଡିଛି ପୁରୀର ଅର୍ଥନୈତିକ ସ୍ଥିତି, ବଦଳି ଯାଇଛି ପୁରୀ ହୋଟେଲ, ଲଜର ଚିତ୍ର ଯେଉଁଠିକି ପର୍ଯ୍ୟଟକଙ୍କ ଯିବା ଆସିବା ଲାଗିରହିଥିବା ବେଳେ ବାତ୍ୟା ଫନି ସେସବୁରେ ଲଗାଇଦେଇଛି ପ୍ରତିବନ୍ଧକ ।
ଶହଶହ କୋଟିର ଧନ ସମ୍ପତ୍ତି ନଷ୍ଚ ହୋଇଥିବା ବେଳେ ଜନ ହାନିର ସ୍ପଷ୍ଟ ଚିତ୍ର ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ । କୁହାଯାଉଛି ଫନିରେ କେବଳ ପୁରୀରେ 12ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟବାସୀ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷାକରି ପୁଣିଥରେ ସଳଖିବାକୁ ଚେଷ୍ଟା କରୁଥିବା ବେଳେ ସମସ୍ତଙ୍କ ଗୋଟିଏ ପ୍ରାର୍ଥନା ପୁରୀର ଫେରି ଆସୁ ପୂର୍ବ ଅବସ୍ଥା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ