କୋରାପୁଟ: ସରିଛି ସାଧାରଣ ନିର୍ବାଚନ, ବାହାରି ସାରିଛି ଫଳ । ଏବେ ଚାଲିଛି ହିସାବନିକାସ ଆଉ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି । ତେବେ ଭୋଟ ଗଣତି ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯାହା ରାଜନୈତିକ ଦଳଙ୍କୁ ଆତ୍ମଚିନ୍ତନ କରିବା ପାଇଁ ବାଧ୍ୟ କରିଛି । ଏମିତି କିଛି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ ।
ତଥ୍ୟ ଅନୁସାରେ ଏଠାରେ ପ୍ରାର୍ଥୀଙ୍କ ବ୍ୟତୀତ ନୋଟାରେ ମଧ୍ୟ ଭୋଟ ପଡିଛି । ପ୍ରଥମେ ଆସିବା କୋରାପୁଟ ସଂସଦୀୟ କ୍ଷେତ୍ରକୁ, ଏହି ଆସନରୁ ବିଜେଡି ତରଫରୁ ନିର୍ବାଚନ ଲଢୁଥିଲେ କୌଶଲ୍ୟା ହିକକା , ବିଜେପି ପକ୍ଷରୁ ଜୟରାମ ପାଙ୍ଗି ଓ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକା । ଏଠି ମୁଖ୍ୟତଃ ଆଶା କରାଯାଉଥିଲା ବିଜେପି ବିଜେଡି ମଧ୍ୟରେ ଲଢେଇ ହେବ । କିନ୍ତୁ ଏଠି ବିଜେପି ବିଜେଡି ଲଢେଇରେ ବାଜି ମାରିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କଠାରୁ ମାତ୍ର ୩୬୧୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ୩,୭୧,୧୨୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୩,୬୭,୫୧୬ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏହି ଲୋକସଭା ଆସନରେ ମୋଟ ୩୬,୫୬୧ ଖଣ୍ଡ ଭୋଟ ନୋଟାରେ ପଡିଛି ଯାହା ଆଶାଠାରୁ ଅଧିକ । ଯଦି ଏତେ ପରିମାଣର ଭୋଟ କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ବା ବିପକ୍ଷରେ ଯାଇଥାନ୍ତା ନିଶ୍ଚିତ ଭାବେ ଫଳାଫଳ ଭିନ୍ନ ହୋଇଥାନ୍ତା ବା ବିଜୟ ବ୍ୟବଧାନରେ କିଛି ପରିବର୍ତ୍ତନ ହୋଇଥାନ୍ତା ।
ସେହିଭଳି କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ଲକ୍ଷ୍ମୀପୁର ବିଧାନସଭା ଆସନରେ ମଧ୍ୟ ଏପରି କିଛି ଦେଖିବାକୁ ମିଳିଛି । ଏଠି କଂଗ୍ରେସ ପ୍ରାର୍ଥୀ ମାତ୍ର ୨୨୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । କିନ୍ତୁ ନୋଟାକୁ ଯାଇଛି ୭୦୨୬ ଖଣ୍ଡ ଭୋଟ । ଏହି ଜିଲ୍ଲାର ଆଉ ଏକ ବିଧାନସଭା ଆସନ ହେଉଛି ପଟ୍ଟାଙ୍ଗି ଏଠି ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୪୬,୯୮୯ ଖଣ୍ଡ ଭୋଟ ଆଉ ବିଜେଡି ପ୍ରାର୍ଥୀଙ୍କୁ ମିଳିଛି ୫୧,୨୪୪ ଖଣ୍ଡ ଭୋଟ, ବିଜୟ ବ୍ୟବଧାନ ରହିଛି ୪୨୫୫ ଭୋଟ ଏହାସହ ନୋଟାରେ ପଡିଛି ୫୭୧୫ ଖଣ୍ଡ ଭୋଟ ।
ଏପରିକି ଏହି ସଂସଦୀୟ କ୍ଷେତ୍ରର ଆଉ କିଛି ବିଧାନସଭା ଆସନ ହେଉଛି କୋରାପୁଟ, ଜୟପୁର ମଧ୍ୟ ନୋଟାରେ ବ୍ୟାପକ ଭୋଟ ପଡିଛି । ତେବେ ଏହି ଲୋକସଭା ଆସନ ସହ ବିଧାନସଭାରେ ଏତେ ମାତ୍ରାରେ ଭୋଟ ପଡିବାର କାରଣ କଣ ହୋଇପାରେ ।
ଏହାକୁ ନେଇ ବିଶେଷଜ୍ଞମାନେ ଭିନ୍ନଭିନ୍ନ ମତ ରଖୁଛନ୍ତି । ଏହାକୁ ନେଇ କଣ କହୁଛନ୍ତି ରାଜନୈତିକ ବିଶ୍ଲେଷକ ଓ ବିଭିନ୍ନ ବର୍ଗର ଲୋକ ଦେଖନ୍ତୁ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ