ବେଙ୍ଗାଲୁରୁ: ପାଖରେ ଟଙ୍କା ନଥିରୁ ପିଶାଚ ପାଲଟିଗଲା ବାପା । ୨ ବର୍ଷର ଶିଶୁ କନ୍ୟାକୁ ଖାଦ୍ୟ ଦେବାରେ ଅସମର୍ଥ ହେବାରୁ ହତ୍ୟା କଲା ଇଞ୍ଜିନିୟର ବାପା । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର କୋଲାରରେ । ପାଖରେ ଅର୍ଥ ନଥିବାରୁ ନିଜ ଝିଅକୁ ବାପା ହତ୍ୟା କରିଥିବା ସୂଚନା ଦେଇଛି ପୋଲିସ ।
କଣ ଥିଲା ପୁରା ଘଟଣା ?
ଗତ ଶନିବାର ଦିନ କୋଲାର ତାଲୁକର କେନ୍ଦାଟି ଗ୍ରାମର ଏକ ହ୍ରଦରେ ଦୁଇ ବର୍ଷ ଶିଶୁ କନ୍ୟାର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ କୋଲାର ଗ୍ରାମୀଣ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ମୃତଦେହ ଉଦ୍ଧାର କରିବା ସହ ହ୍ରଦ ନିକଟରେ ଏକ ନୀଳ ରଙ୍ଗର କାର ଥିବା ମଧ୍ୟ ଦେଖିବାକୁ ପାଇଥିଲା । ଏହାପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ମୃତ ଶିଶୁର ବାପାକୁ ପୋଲିସ ଗିରଫ କରିଥିଲା ।
ପଚରାଉଚରା ପରେ ପାଖରେ ଅର୍ଥ ନଥିବାରୁ ଝିଅକୁ ହତ୍ୟା କରିଥିବା ଅଭିଯୁକ୍ତ ମାନିଥିଲା, ଏଥିସହ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ପୋଲିସକୁ କହିଛି । ଅଭିଯୁକ୍ତ ରାହୁଲ ପରମାର ଗୁଜୁରାଟର ଅଟନ୍ତି । ଦୁଇ ବର୍ଷ ପୂର୍ବେ ପତ୍ନୀ ଭାବିଆଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ । ଘଟଣା ଦିନ ଅଭିଯୁକ୍ତ ଜଣଙ୍କ ନିଜ ଝିଅ ସହ କାରରେ କିଛି ସମୟ ଖେଳିବା ପରେ ତାଙ୍କୁ ଗେଲ କରିଥିଲେ । ଏହା ପରେ ଝିଅକୁ ଖାଦ୍ୟ ଦେବାକୁ ତାଙ୍କ ପାଖରେ ଟଙ୍କା ନଥିବାରୁ ଝିଅକୁ ହତ୍ୟା କରିଥିଲେ । ପରେ ଗତ ନଭେମ୍ବର ୧୫ ତାରିଖରେ ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀ ଝିଅ କେଉଁ ଆଡେ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଭାରତ ଯୋଡ ଯାତ୍ରାରେ ପାକ ସମର୍ଥିତ ନାରା, କଂଗ୍ରେସ IT ମୁଖ୍ୟ ବିରୋଧରେ ଏତଲା
ପୋଲିସର ସୂଚନା ଅନୁଯାୟୀ, ବିଟ କଏନ ବିଜନେସରେ କ୍ଷତି ସହିବାରୁ ଗତ ୬ ମାସ ହେଲା ଅଭିଯୁକ୍ତ ଜଣଙ୍କ ବେକାର ଥିଲା, ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା । ଫଳରେ ନିଜ ଘରୁ ନିଜେ ସୁନା ଅଳଙ୍କାର ଚୋରି କରି ଥାନାରେ ଅଭିଯୋଗ କରିଥିଲା । ପରେ ସତ ସାମ୍ନାକୁ ଆସିଥିଲା ।