ସମ୍ବଲପୁର: ସମ୍ବଲପୁରରେ ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରିପେଡ ଇଲେକ୍ଟ୍ରି ମିଟର ଲଗାଯାଉଛି। ତେବେ ଏହାକୁ ନେଇ ସମ୍ବଲପୁର ସହରର ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ପୂର୍ବରୁ ଏହାକୁ ତୀବ୍ର ବିରୋଧ ମଧ୍ୟ କରାଯାଇଛି। ତେବେ ବିଭିନ୍ନ ସ୍ଥାନରେ ପ୍ରିପେଡ ମିଟର ଲଗାଯାଉଥିବାରୁ ଏବେ ଏହାକୁ ବିରୋଧ କରି ଆସନ୍ତା କାଲି ସମ୍ବଲପୁର ଅଇଁଠାପାଲି ସ୍ଥିତ TPWODL କାର୍ଯ୍ୟାଳୟକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଘେରାଉ କରାଯିବା ସହ ପ୍ରିପେଡ ମିଟରର ବିରୋଧ କରାଯିବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ହୀରାକୁଦ ନଦୀବନ୍ଧ ତଳେ ଥାଇ ମଧ୍ୟ ସମ୍ବଲପୁର ସହରରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଯାଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାରେ ଲୋକେ ଘାଣ୍ଟି ହେଉଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟ ବିଲ ଆଦାୟ ନାଁ ରେ ବିଦ୍ୟୁତ ବିତରଣ କମ୍ପାନୀ ମନମାନୀ କରୁଥିବା ଅଭିଯୋଗ ହୋଇ ଆସୁଛି। ତେଣୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପ୍ରିପେଡ ମିଟରକୁ ବିରୋଧ କରିବ । ଏହାହସହ ଆସନ୍ତା କାଲି TPWODL କାର୍ଯ୍ୟାଳୟ ଘେରାଉ କରିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ଏତତ ବ୍ୟତୀତ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲାର ବିଭିନ୍ନ ଦାବି, ଅଧିକାର ଓ ସ୍ବତନ୍ତ୍ର ରାଜ୍ଯ ପାଇଁ ଲଢେଇ କରୁଥିବା ବିଭିନ୍ନ ସଂଗଠନ ଏବଂ ନେତୃତ୍ବଙ୍କୁ ଏକତ୍ରୀତ କରି ସମନ୍ବୟ ଏବଂ ସହମତି ତିଆରି କରିବା ପାଇଁ ଯୋଜନା କରାଯାଉଥିବା ନେଇ ସୂଚନା ଦିଆଯାଇଛି । ଏଥିପାଇଁ ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାର ନିଜସ୍ୱ ଅଧିକାର ପାଇଁ ଲଢୁଥିବା ସକ୍ରିୟ ସଂଗଠନ ଏବଂ ସ୍ୱତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନ କରୁଥିବା ସଂଗଠନ ଏବଂ ନେତୃବର୍ଗଙ୍କୁ ନିମନ୍ତ୍ରଣ କରି ସମ୍ବଲପୁରରେ ଆସନ୍ତା ଅକ୍ଟୋବର ୧୬ ତାରିଖରେ ମିଳିତ ଆଲୋଚନା ପାଇଁ ଏକ ସମାବେଶ ର ଆୟୋଜନ କରାଯିବ। ଏନେଇ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ସମାବେଶରେ ସବୁ ପକ୍ଷ ନିଜ ନିଜର ମତ ରଖିବା ସହ ନେତୃବର୍ଗ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ରଖିବେ ବୋଲି କୁହାଯାଇଛି । ଏହି ସମାବେଶ ଆଗାମୀ ଦିନରେ ପଶ୍ଚିମାଞ୍ଚଳବାସୀଙ୍କ ପାଇଁ ଅଧିକାର ପାଇବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁର ଠାରେ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ସମ୍ବଲପୁର