ସମ୍ବଲପୁର: ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପୁର ପଲ୍ଲୀ । ସବୁଠି ଉତ୍ସାହର ମାହୋଲ । ଏ ପର୍ବ ଲୋକଙ୍କ ଭାବାବେଗ ସହ କାହିଁ କେଉ କାଳରୁ ଜଡିତ । ଆସନ୍ତୁ ନୂଆଁଖାଇର ଇତିହାସ ଉପରେ ନଜର ପକାଇବା । ଏହା କେବେ ଆରମ୍ଭ ହୋଇଥିଲା । ତା ଉପରେ ନାହିଁ କିଛି ସ୍ପଷ୍ଟ ତଥ୍ୟ । ମୁଖ୍ୟତଃ ସମ୍ବଲପୁର ଅଞ୍ଚଳର ଆଦିବାସୀମାନେ ନୂଆଖାଇ ଆରମ୍ଭ କରିଥିଲେ ବୋଲି ବିଶ୍ୱାସ କରାଯାଏ। ପ୍ରକୃତି ଦତ୍ତ ପ୍ରଥମ ଅନ୍ନକୁ ଈଶ୍ୱରଙ୍କୁ ନୈବେଦ୍ୟ ଅକାରରେ ପ୍ରଦାନ କରିବା ପରେ ନିଜେ ଗ୍ରହଣ କରିବାର ଏହି ପରମ୍ପରାକୁ ଆଦିବାସୀମାନେ ନୂଆଁଖାଇ ବୋଲି କହୁଥିଲେ। 1500 ଶତାଦ୍ଦୀରେ ଓଡିଶାକୁ ଚୌହାନ ବଂଶୀୟ ରାଜମାନେ ପ୍ରବେଶ କରିଥିଲେ ।
ସେମାନେ ଆସିବା ପରେ ସ୍ଥାନୀୟ ଆଦିବାସୀଙ୍କ ବିଶ୍ୱାସ ଜିତିବା ପାଇଁ ସମଲେଶ୍ବରୀଙ୍କୁ ନିଜର ଇଷ୍ଟ ଦେବୀ ରୂପେ ଗ୍ରହଣ କରିଥିଲେ । ଆଉ ନୂଆଖାଇକୁ ମଧ୍ୟ ଚୌହାନ ବଂଶୀୟ ରାଜାମାନେ ନିଜର ମୁଖ୍ୟ ପର୍ବ ଭାବେ ମାନିଥିଲେ । ପରେ ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଳନରେ ପରିମାର୍ଜିତ ହୋଇଥିଲା ନୂଆଁଖାଇ ।
ପୂର୍ବରୁ ନୂଆଖାଇ କେବଳ ଆଞ୍ଚଳିକ ପର୍ବ ଭାବ କରାଯାଉଥିଲା ପାଳନ । କିନ୍ତୁ ୧୯୯୨ରେ ସମଗ୍ର ପଶ୍ଚିମ ଓଡିଶାର ସଚେତନ ନାଗରିକମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭେଟିଥିଲେ । ପଶ୍ଚିମ ଓଡିଶାରେ ଗଣେଷ ପୂଜା ପରଦିନ ନୂଆଖାଇ ପାଳନ କରିବାକୁ ଦେଇଥିଲେ ପ୍ରସ୍ତାବ । ପରେ ବିଜୁ ପଟ୍ଟନାୟକ ନୂଆଖାଇକୁ ଷ୍ଟେଟ ହଲିଡେ ଭାବେ ଘୋଷଣା କରିଥିଲେ । ଅନ୍ୟ ପର୍ବପର୍ବାଣୀ ଠାରୁ ନୂଆଖାଇ ପରମ୍ପରା ଟିକେ ନିଆରା । ଏକତାବଦ୍ଧ ଜୀବନ ଯାପନ, ବଡ଼ଙ୍କୁ ସମ୍ମାନ, ସାନଙ୍କୁ ସ୍ନେହ,ପ୍ରକୃତିପୂଜା ଓ ଦୟା କ୍ଷମାର ପର୍ବ ହେଉଛି ନୂଆଖାଇ । ଏହି ଦିନ ପରିବାରର ସମସ୍ତ ସଦସ୍ୟ ଯିଏ ଯେଉଁଠି ଥିଲେ ବି ନିଜ ଘରକୁ ଫେରିଥାଏ । ବର୍ଷକରେ ଏହି ଗୋଟିଏ ଦିନ ପରିବାରର ସମସ୍ତେ ଏକାଠି ହେବାର ପରମ୍ପରା ରହିଛି।
ନୂଆଁଖାଇ ଦିନ ସମସ୍ତଙ୍କ ପାଇଁ ହୋଇଥାଏ ନୁଆଁ କପଡା । କ୍ଷେତରେ କ୍ଷୀର ଢାଳି ନୂଆ ଧାନକୁ ଆଣିଲା ପରେ ଏହାକୁ ପ୍ରଥମେ ନିଜର ଇଷ୍ଟ ଦେବୀ ଅଥବା ଦେବତାଙ୍କୁ ନୈବେଦ୍ୟ ଆକାରରେ ଅର୍ପଣ କରାଯାଏ । ପରେ ଏହାକୁ ପ୍ରସାଦ ଆକାରରେ ସମସ୍ତେ ଏକାଠି ଗ୍ରହଣ କରନ୍ତି। ଏହି ଦିନ ପରିବାରର ମହିଳା ମାନେ ସକାଳୁ ସ୍ନାନ ସାରି ବିଭିନ୍ନ ପ୍ରକାର ପିଠା ଓ ନୁଆ ଚାଉଳର କ୍ଷୀର ତିଆରି କରନ୍ତି। ଏହା ସହିତ ସାରୁ ଶାଗର ବ୍ୟଞ୍ଜନ ପ୍ରସ୍ତୁତ କରିବା ବାଧ୍ୟତାମୂଳକ ହୋଇଥାଏ। ପରିବାରର ସମସ୍ତେ ଏକାଠି ବସି ନୁଆ ଚାଉଳର ଭୋଗ ଓ ପିଠା କ୍ଷୀରି ଖାଇଲା ପରେ ହୋଇଥାଏ ଜୁହାର ଭେଟ। ପରିବାର କନିଷ୍ଠ ମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି। ଏହାକୁ ଜୁହାର ଭେଟ କୁହାଯାଏ। ନୂଆଁଖାଇ ଦିନ ପୂର୍ବ ରାଗରୁଷାକୁ ଭୁଲି ପରସ୍ପର ଜୁହାର କରି ଲୋକେ ନୂଆ ସମ୍ପର୍କ ତିଆରି କରନ୍ତି।
ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ