ବଲାଙ୍ଗୀର: ମୋବାଇଲରେ ଗେମ ଖେଳି ଅବସାଦରେ ରହୁଥିବା ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ବଲାଙ୍ଗୀର ଷ୍ଟେସନରେ ଯୁବକ ଜଣକ ଆତ୍ମହତ୍ୟା କରିଥିବାବେଳେ, ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ କୋଲକାତା ଉତ୍ତର 24 ପ୍ରଗଣାର ସୁମନ ମଣ୍ଡଳ ।
ଏକ ବାହାଘରରେ ଯୋଗ ଦେବାକୁ 4 ଜଣ ବନ୍ଧୁଙ୍କ ସହ ସୁମନ ବଲାଙ୍ଗୀର ଆସିଥିଲେ। ବିବାହ ସାରି ବୁଧବାର କୋଲକାତା ଫେରି ଯିବାକୁ ସମସ୍ତେ ବଲାଙ୍ଗୀର ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ ମାଲଗାଡି ଆସୁଥିବା ବେଳେ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିଲେ ସେ।
ଗତ କିଛି ଦିନ ଧରି ସୁମନ ମୋବାଇଲ ଗେମ ଖେଳିବା ସହ ଅବସାଦରେ ରହୁଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରିପାରିଥାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁମନଙ୍କ ବନ୍ଧୁ । ସେପଟେ ଘଟଣାସ୍ଥଳରେ ଆରପିଏଫ ଓ ଜିଆରପି ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ବଲାଙ୍ଗୀରରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ