ସମ୍ବଲପୁର: ବନ୍ୟପ୍ରାଣୀ ପରିଚାଳନାଗତ ତ୍ରୁଟି ଯୋଗୁ ସହରମୁହାଁ ଜଙ୍ଗଲି ଜନ୍ତୁ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳକୁ ପ୍ରବେଶ କଲେ ହାତୀ ପଲ । ଏକ ନମ୍ବର ଓ୍ବାର୍ଡର ବହ୍ମପୁରା ଗାଁରେ ହାତୀ ପ୍ରବେଶ କରି ବ୍ୟାପକ ଫସଲ କରିଛନ୍ତି । ଆଗରୁ ସମ୍ବଲପୁର ଠାରୁ ଦୂରରେ ଥିବା ଗାଁରେ ହାତୀଙ୍କ ଉପଦ୍ରବ ସମସ୍ୟା ଦେଖାଦେଉଥିବା ବେଳେ ଏଥର ମହାନଗର ନିଗମ ଅଞ୍ଚଳରେ ହାତୀଙ୍କ ଉତ୍ପାତ ଆରମ୍ଭ ହୋଇଗଲାଣି । ଗତ ଦୁଇଦିନ ହେବ ବହ୍ମପୁରା ଗାଁରେ ୧୦ ରୁ ୧୫ ହାତୀ ମାତିଛନ୍ତି । ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ହାତୀପଲ ଗାଁର ଏକାଧିକ ଚାଷୀଙ୍କ ଧାନ ଜମିରେ ଶହ ଶହ ଏକର ଧାନ ଫସଲ ନଷ୍ଟ କରିଦେଇଛି ।
ହାତୀପଲ ଧାନ ଅମଳ ସମୟ ଆରମ୍ଭରୁ ହିଁ ଗାଁକୁ ପ୍ରବେଶ କରି ଫସଲ ଉଜାଡି ଦେଇଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ବନବିଭାଗକୁ ଜଣାଇଥିଲେ ବି ବନବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । ଏହାସହ ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ରୋକିବା ସହ କ୍ଷତିଗ୍ରସ୍ଥ ଚାଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଦେବାପାଇଁ ଦାବି ହୋଇଛି । ଗୋଟିଏ ପଟେ ଅଦିନିଆ ବର୍ଷା ସହ ଧାନ ବିକ୍ରି ସମସ୍ୟା ପାଇଁ ଚିନ୍ତାରେ ଥିବା ବହ୍ମପୁରା ଚାଷୀଙ୍କ ପାଇଁ ହାତୀ ଉପଦ୍ରବ ଏବେ ବୋଝ ଉପରେ ନଳିତା ବିଡା ପରି ହୋଇଛି।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ