ସମ୍ବଲପୁର: ଜଣେ ଦଳିତ ନାବାଳିକାକୁ କାମ ଯୋଗାଇବା ଆଳରେ ରାଜଧାନୀ ଆଣି ଶାରିରୀକ ନିର୍ଯାତନା । ଏପରି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଅଞ୍ଚଳରୁ । ଏନେଇ ପରିବାର ପକ୍ଷରୁ ବୁର୍ଲା ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ ପୀଡିତାଙ୍କ ଜଣେ ସମ୍ପର୍କୀୟ ବୁର୍ଲା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ପୀଡିତା ମଧ୍ୟ ତାଙ୍କ ସମ୍ପର୍କୀୟଙ୍କ ସହ ଉକ୍ତ ବ୍ୟକ୍ତିଙ୍କ ଘରକୁ ମଝିରେ ମଝିରେ କାମ କରିବା ପାଇଁ ଯାଇଥିଲେ । ତେବେ ଉକ୍ତ ଘରର ମାଲିକ ପୀଡିତାଙ୍କୁ ଭୁବନେଶ୍ବରରେ କୌଣସି ସମ୍ପର୍କୀୟଙ୍କ ଘରେ ଭଲ ଦରମାରେ କାର୍ଯ୍ୟ ଯୋଗାଇଦେବେ ବୋଲି କହି ଭୁବନେଶ୍ବର ଆଣିଥିଲେ। ପରେ କିଛି ଦିନ ପରେ ସେଠାରେ ପୀଡିତାଙ୍କୁ ବାରମ୍ବାର ଶାରୀରିକ ନିର୍ଯାତନା ଦିଆଯିବା ସହ ପରିବାର ଲୋକଙ୍କ ସହ କଥାହେବା ନେଇ ମଧ୍ୟ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ ହୋଇଥିଲା।
ତେବେ ଏନେଇ ପୀଡିତା ନାବାଳିକାର ପରିବାର ଥାନାରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଥିଲେ । ପୋଲିସ ଅଭିଯୋଗ ଭୟରେ କିଛି ଦିନତଳେ ପୀଡ଼ିତାଙ୍କୁ ଭୁବନେଶ୍ବରରୁ ଆଣି ତାଙ୍କ ଘରେ ଛାଡ଼ି ପଳାଇଥିଲେ ସମ୍ପୃକ୍ତ ମାଲିକ। ତେବେ ପୀଡିତାଙ୍କ ଦେହରେ ବିଭିନ୍ନ ସ୍ଥାନରେ ଆଘାତର ଦାଗ ଥିବାବେଳେ ତାଙ୍କୁ ଶାରିରୀକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣି ଥାନାର ଦ୍ବାରସ୍ତ ହୋଇଛନ୍ତି ପରିବାର ସଦସ୍ୟ । ବର୍ତ୍ତମାନ ବୁର୍ଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ