ପୁରୀ: କୋଟି ଓଡିଆଙ୍କ ମଉଡ ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ଭରି ରହିଛି ସ୍ବତନ୍ତ୍ରତା । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି, ନାମକୁ କରେ ପ୍ରତିପାଦ୍ୟ । ଯେପରି ତିନି ଠାକୁରଙ୍କ ସୁରକ୍ଷାରେ ଲାଗୁଥିବା ପଟାକୁ ସେନାପଟା କୁହାଯାଏ, ସେହିପରି ପାଦହୁଣ୍ଡନ ଗତିରେ ଆସୁଥିବାରୁ ମହାପ୍ରଭୁଙ୍କ ବିଜେକୁ କୁହାଯାଏ ପହଣ୍ଡି । ଏହି ପହଣ୍ଡିରେ ବି ରହିଛି ଭିନ୍ନତା, ଦୁଇ ପ୍ରକାରର ଥିବା ଏହି ପହଣ୍ଡିକୁ କୁହାଯାଏ, ଧାଡି ପହଣ୍ଡି ଓ ଗୋଟି ପହଣ୍ଡି ।
ଶ୍ରୀଗୁଣ୍ଡିଚା ଯାତ୍ରା ଓ ସ୍ନାନଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରରୁ ସ୍ନାନ ମଣ୍ଡପ ଓ ରଥକୁ ବିଜେ ସମୟରେ ଧାଡି ପହଣ୍ଡିରେ ଆସିଥାନ୍ତି । ସେହିପରି ରତ୍ନବେଦୀକୁ ବାହୁଡିବା ସମୟରେ ଗୋଟି ପହଣ୍ଡିରେ ଯାଇଥାନ୍ତି । ସଂସ୍କୃତ ଶବ୍ଦ ପଦ ହୁଣ୍ଡନରୁ ପହଣ୍ଡିର ସୃଷ୍ଟି ବୋଲି ଅନୁମାନ କରାଯାଏ । ପଦର ଅର୍ଥ ପାଦ ହୁଣ୍ଡନର ଅର୍ଥ ଭ୍ରମଣ । ତେଣୁ ପହଣ୍ଡିର ଆଭିଧାନିକ ଅର୍ଥ ପାଦରେ ଭ୍ରମଣ । ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ବଳଭଦ୍ରଙ୍କୁ ସେବକମାନେ ପାଟ ଡୋରିରେ ବାନ୍ଧି ଝୁଲାଇ ଝୁଲାଇ ପହଣ୍ଡି ବିଜେ କରାଉ ଥିବାବେଳେ ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ଦଇତାପତି ଓ ଅନ୍ୟ ସେବକମାନେ କାନ୍ଧରେ ପହଣ୍ଡି ବିଜେ କରାଇଥାନ୍ତି ।
ଶ୍ରୀଜୀଉଙ୍କ ପହଣ୍ଡି ସମୟରେ ମସ୍ତକରେ ମୟୂର ପୁଚ୍ଛ ସଦୃଶ ଯେଉଁ ଟାହିଆ ଶୋଭାପାଏ, ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠ ତାହାକୁ ପ୍ରସ୍ତୁତ କରିଥାନ୍ତି । ତେବେ ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କର ତିନି ଥର ଧାଡି ପହଣ୍ଡି ଓ ଗୋଟି ପହଣ୍ଡି ହୋଇଥାଏ । ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡା ଦିନ ଗୁଣ୍ଡିଚା ମନ୍ଦିରରୁ ରଥ ଉପରକୁ ଆସିବା ସମୟରେ ଧାଡି ପହଣ୍ଡି ହୋଇଥାଏ । ସେହିପରି ସ୍ନାନବେଦୀରୁ ଅଣସର ପିଣ୍ଡିକୁ, ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଏବଂ ନୀଳାଦ୍ରିବିଜେରେ ରତ୍ନସିଂହାସନକୁ ଗମନ ସମୟରେ ଗୋଟି ପହଣ୍ଡିରେ ଯାଇଥାନ୍ତି । ତେବେ ଶ୍ରୀମନ୍ଦିରରେ ଏହି ପରମ୍ପରା କେଉଁ କାଳରୁ ରହିଆସିଛି ତାହା ଅଗୋଚର । ଉତ୍କଳରେ ଜଗନ୍ନାଥ ସଂସ୍କୃତିର ଅୟମାରମ୍ଭରୁ ଏହା ପ୍ରଚଳିତ ବୋଲି ବିଶ୍ବାସ ।
ସତରେ ଶ୍ରୀଜଗନ୍ନାଥ ସଂସ୍କୃତିର ତତ୍ତ୍ବକୁ ଭେଦିବା ସାଧାରଣ ମନୁଷ୍ୟ ପକ୍ଷେ ଅସମ୍ଭବ । ଯେତେ ତର୍ଜମା କଲେ ନୂଆ ନୂଆ ତଥ୍ୟର ସମ୍ଭାର ସୃଷ୍ଟି କରେ ଶ୍ରୀମମନ୍ଦିର ପରମ୍ପରା ।
ଇଟିଭି ଭାରତ, ପୁରୀ