ପୁରୀ: ଆସନ୍ତା 24 ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଆଜି ତୃତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ସ୍ନାନ ପୂର୍ଣ୍ଣିମା ପାଇଁ ସହରକୁ ସାତଟି ଜୋନରେ ବିଭକ୍ତ କରାଯିବ, ତିନିଟି କର୍ଡନ ବସିବ । ହେରିଟେଜ କରିଡରଟି ଇନର କର୍ଡନ, ଶ୍ରୀମନ୍ଦିର ନିକଟବର୍ତ୍ତୀ ସାହି ଗୁଡିକୁ ମିଡିଲ କର୍ଡନ ଓ ଅନ୍ୟାନ୍ୟ ଅଞ୍ଚଳକୁ ଆଉଟର କର୍ଡନ କରାଯିବ ।
ସ୍ନାନ ପୂର୍ଣ୍ଣିମା ପାଇଁ ମୋଟ 35 ପ୍ଲାଟୁନରୁ ଊର୍ଦ୍ଧ୍ବ ପୋଲିସ ଫୋର୍ସ ମୁତୟନ ହେବେ । ଗତ ଥର ଯେଉଁଭଳି କଟକଣା କରାଯାଇଥିଲା ସେହିଭଳି କଟକଣା ରହିବ । ତେବେ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ତେବେ ସେବାୟତଙ୍କ ସାମୂହିକ ସ୍ଵାର୍ଥକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଶୃଙ୍ଖଳିତ ସ୍ନାନ ଓ ରଥଯାତ୍ରା ତଥା ସେବାୟତଙ୍କ ସଂକ୍ରମଣ ରୋକିବାକୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଅବଧିକୁ ଜୁଲାଇ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଅନ୍ୟପଟେ ରଥ ଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଛନ୍ଦା ଗୟଳ ପଡି ଯୋଖା ବାଡିଆ ଆରମ୍ଭ ହୋଇଛି । ତିନି ରଥର ରୂପକାର ସେବକମାନେ ନାଟ ଗୋଡ ମାନଙ୍କରେ ରାହୁରୂପ ଖୋଦେଇ ଜାରି ରଖିଥିବାବେଳେ ଦୋଳବେଦୀସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନିରଥର ଧ୍ଵଜବତା କଣ୍ଟା, ତାଗ କଣ୍ଟା, ବାଗିଆ କଣ୍ଟା, ହାତିଆଳ ମାଳ କଣ୍ଟା ନିର୍ମାଣ କରୁଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ