ପୁରୀ: ପୁଣି ଏକ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନକୁ ଏନକାଉଣ୍ଟର କରିଛି ପୁରୀ ପୋଲିସ । ଗତକାଲି ବିଳମ୍ବିତ ରାତିରେ ପିପିଲି ଓଭର ବ୍ରିଜ ନିକଟରେ ଏନକାଉଣ୍ଟର କରିଥିଲା ପୋଲିସ। ଭାଗିରଥୀର ବାମ ଗୋଡରେ ଗୁଳି ବାଜିଥିବାବେଳେ ତାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଭାଗିରଥୀ ନିକଟରୁ ଗୋଟିଏ ବାଇକ, ପିସ୍ତଲ, ଓ ଗୁଳି ଜବତ କରାଯାଇଛି ।
ସୂଚନାଯୋଗ୍ୟ, ଭାଗିରଥୀ ନାଁରେ ଏକାଧିକ ସଙ୍ଗୀନ ମାମଲା ରହିଥିବା ବୋଲି ପୁରୀ ପୋଲିସର ୱାଣ୍ଟେଡ ତାଲିକାରେ ଥିଲା । ଭାଗିରଥୀ ପିପିଲି ନିକଟରେ ଥିବା ନେଇ ପୋଲିସ ଖବର ପାଇବା ପରେ ସ୍ପେଶାଲ ଟିମ ଚଢାଉ କରିଥିଲା ।
ଅପରାଧୀ ଜଣକ ଖସିବାକୁ ଉଦ୍ୟମ କରିବା ସହ ପୋଲିସ ଉପରକୁ ଗୁଳି ଚଳାଇଥିଲା । ତେବେ ଏଥିରେ ନିଜର ଆତ୍ମରକ୍ଷା କରିବାକୁ ଯାଇ ପୋଲିସ ଭାଗିରଥୀ ଉପରକୁ ଏନକାଉଣ୍ଟର କରିଥିଲା । ଯାହାକୁ ନେଇ ପିପିଲି ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଛି । ସେପଟେ, ଅପରାଧୀ ଉପରେ ଜିରୋ ଟଲେରାନ୍ସ ନୀତି ଜାରି ରହିବ ବୋଲି ପୁରୀ ଏସପି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ