ପୁରୀ: ଦେଶରେ କୋରୋନା କମୁଥିବାବେଳେ ରାଜ୍ୟରେ ବଢୁଛି ସଂକ୍ରମଣ । କୋରୋନା ଦ୍ବିତୀୟ ଲହରୀରେ ସ୍ଥିତି ସମ୍ପୂର୍ଣ୍ଣ ଭୟାବହ । ରାଜ୍ୟରେ ସ୍ବାସ୍ଥ୍ୟ ସୁବିଧା ସୁଦୃଢ ଥିବା ଦାବି କରୁଛନ୍ତି ରାଜ୍ୟ ସରକାର । ହେଲେ ଏହାରି ମଧ୍ୟରେ ପୁରୀର ସ୍ବାସ୍ଥ୍ୟ ସୁବିଧାକୁ ନେଇ ବିଧାୟକ ଯାହା ସୂଚନା ଦେଇଛନ୍ତି ତାହା ଚିନ୍ତା ବଢାଉଛି ।
ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଇବାକୁ ନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ବିଧାୟକ ଟ୍ବିଟରେ ଲେଖିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାତଯୋଡି ଅନୁରୋଧ କରୁଛି କୌଣସି ସରକାରୀ ଉଦ୍ୟୋଗ ସହାୟତାରେ ପୁରୀରେ ସ୍ଵାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ l କୋରୋନା ରୋଗୀଙ୍କ ସଂଖ୍ୟା ପୁରୀରେ ଯେପରି ବୃଦ୍ଧି ପାଉଛି ଏହା ଆଗକୁ ସମସ୍ୟା ସୃଷ୍ଟି କରିବ ଏହାର ପ୍ରତିକାର ନିତ୍ୟାନ୍ତ ଜରୁରୀ ବୋଲି କହିଛନ୍ତି ଜୟନ୍ତ ।
ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ଜୟନ୍ତ ଲେଖିଛନ୍ତି, ହାତଯୋଡି ଅନୁରୋଧ କରୁଛି ପୁରୀରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ICU ବେଡ୍ ଓ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରନ୍ତୁ l ମୋ ପାଖରେ ଯେତିକି ଖବର ଅଛି ପୁରୀରେ ମାତ୍ର 34 ଟି ICU ବେଡ୍ ରହିଛି । ଯାହା ପୁରୀରେ ବୃଦ୍ଧି ପାଉଥିବା ରୋଗୀଙ୍କ ସଂଖ୍ୟା ଅନୁପାତରେ ଯଥେଷ୍ଟ କମ ।
ପୂର୍ବରୁ ପୁରୀ ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର କିଭଳି ବ୍ୟବସ୍ଥା ଓ ପ୍ରସ୍ତୁତି ରହିଛି ସେ ନେଇ ସମୀକ୍ଷା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାରେ ମୋଟ 11 ବ୍ଲକ ଓ 4ଟି nac ରେ ଥିବା କୋଭିଡ କେୟାର ସେଣ୍ଟର ଗୁଡିକରେ 1200 ବେଡ଼ ବ୍ୟବସ୍ଥା ରହିଛି । ଏଥିରେ 130 ଟି ଅକ୍ସିଜେନ ବେଡ଼ ଥିବାବେଳେ 15 ଟି ରହିଛି ICU ।