ପୁରୀ: ଆସୁଛି ଦୁର୍ଗାପୂଜା । ଧରାବତରଣ କରିବେ ମା' ଜଗତଜନନୀ । ପୁରୀରେ ପୂଜା ପାଇଁ ସମସ୍ତଙ୍କ ସହଯୋଗ ଲୋଡି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତ୍ତାଙ୍କ ସହ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି । ଗତବର୍ଷ ଭଳି ଚଳିତ ବର୍ଷ ଦୁର୍ଗାପୂଜା ପାଳନ ଅବସରରେ ସମସ୍ତ ସହଯୋଗ ଜାରି ରଖିବାକୁ ଜିଲ୍ଲାପାଳ ସବୁ କମିଟି ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି । ଏଥର ମଧ୍ୟ ପୂଜା ମଣ୍ଡପ ତିନି ପାର୍ଶ୍ବ ବନ୍ଦ ରଖାଯିବ ଏବଂ ସମ୍ମୁଖ ପାର୍ଶ୍ବ ପରଦା ଦ୍ବାରା ଢଙ୍କା ଯିବ । କୌଣସି ଡାକବାଜି ଯନ୍ତ୍ର, ଶୋଭାଯାତ୍ରା, ଭୋଜିଭାତ, ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଅନୁମତି ନାହିଁ । ଏଥିସହ ଭକ୍ତଙ୍କୁ ମଣ୍ଡପ ନିକଟରେ ପୂଜା ଓ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି ।
ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂଜକଙ୍କ ସମେତ କେବଳ ୭ ଜଣ କର୍ମକର୍ତ୍ତାଙ୍କୁ ପୂଜା ମଣ୍ତପ ନିକଟରେ ରହିବାକୁ ଅନୁମତି ଦିଆଯିବ । ପ୍ରତ୍ୟେକଙ୍କୁ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥା ସହ ମଣ୍ତପ ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଡଃ କେ.ବିଶାଲ ସିଂ କହିଛନ୍ତି । ସମ୍ପୃକ୍ତ ଥାନାଧିକାରୀ ଏବଂ ପୂଜା କମିଟି ସହ ପରାମର୍ଶ ପରେ ପରିଚୟ ପତ୍ର ଦିଆଯିବ । ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ କୋଭିଡ କଟକଣା ନେଇ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମା କଡାକଡି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ।
ପ୍ରତ୍ୟେକ ମଣ୍ତପରେ ସଫେଇ ସହ ଆବଶ୍ୟକସ୍ଥଳେ ଆଲୋକୀକରଣ ବ୍ୟବସ୍ଥା କରାଯିବ । ମଙ୍ଗଳାଘାଟ ନିକଟରେ ମୂର୍ତ୍ତି ବିସର୍ଜନ ନିମନ୍ତେ କୃତ୍ରିମ ପୋଖରୀ ପାଖରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ । ଏନେଇ ଜଣାଇଛନ୍ତି ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ । ସେହିପରି ପରମ୍ପରାକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ସମ୍ମୁଖରେ ଗୋଷାଣୀ ଯାତ୍ରାବେଳେ ଦେବସଭାକୁ ଅନୁମତି ଦିଆଯାଇଛି । ପ୍ରତ୍ୟେକ ପୂଜା ମଣ୍ତପ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ରୀୟ ରିପୋର୍ଟ ପ୍ରଦାନ କରିବାକୁ ସମ୍ପୃକ୍ତ ଥାନାଧିକାରୀଙ୍କୁ କୁହାଯାଇଛି ।
ପୂଜା ମଣ୍ଡପ ନିମନ୍ତେ ପୌରସଂସ୍ଥା ଅଞ୍ଚଳରେ ଉପଜିଲ୍ଲାପାଳ ଏବଂ ଅନ୍ୟ ଅଞ୍ଚଳରେ ସମ୍ପୃକ୍ତ ତହସିଲଦାର ଅନୁମତି ପ୍ରଦାନ କରିବେ । ତେବେ ରାଜ୍ୟ ସରକାରଙ୍କ କୋଭିଡଗାଇଡ଼ ଲାଇନ ପୂଜା ସମୟରେ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଜାରି ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଦ୍ବିତୀୟ ଥର ପାଇଁ ଆଲୋଚନା ହୋଇଛି । ପୂର୍ବରୁ ଗତ ୧୧ ତାରିଖରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ବସିଛି । ଏଥିରେ ଜିଲ୍ଲାପାଳଙ୍କ ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଉପଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପଣ୍ତା, ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକ, ପ୍ରଶାନ୍ତ କୁମାର ଜେନା, ସମ୍ପୃକ୍ତ ଥାନାଧିକାରୀ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ