ପୁରୀ: ଜିଲ୍ଲା ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ନୂତନ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରି ହୋଇଥିବା ଆନ୍ଦୋଳନ ସଫଳ ହୋଇଛି । ୨୬ ଦିନ ଧରି ଚାରିଥିଲା ଅହୋରାତ୍ର ଧାରଣାରେ ପୂର୍ଣ୍ଣଚ୍ଛେଦ ପଡିଛି । ଆନ୍ଦୋଳନ ଆଗରେ ହାର ମାନିଲା ପୁରୀ ଜିଲ୍ଲା ପ୍ରଶାସନ । ପୁରୀ ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ଆଉ ନୂତନ ବ୍ଲୁ ଫ୍ଲାଗ ବିଚ୍ ହେବ ନାହିଁ । ଜିଲ୍ଲାପାଳ ସମର୍ଥ ବର୍ମା ଏହା ସ୍ପଷ୍ଟ କରିବା ସହ ଲିଖିତ ଭାବେ ଜଣାଇଛନ୍ତି । ଚକ୍ରତୀର୍ଥ ରୋଡରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚକୁ ପୂର୍ବରୁ ତୀବ୍ର ବିରୋଧ କରାଯାଇଥିଲା ।
ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରି ପୁରୀ ବେଳାଭୂମି ସୁରକ୍ଷା ସମିତି ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ୨୬ ଦିନ ଧରି ଅହୋରାତ୍ର ଧାରଣା ଦିଆଯାଇଥିଲା । ଫଳରେ ଦେଢ଼ ବର୍ଷ ଧରି କାର୍ଯ୍ୟ ବନ୍ଦ ରହିଥିଲା । ଶେଷରେ ଏହି ଆନ୍ଦୋଳନର ବିଜୟ ହୋଇଛି। ଚକ୍ରତୀର୍ଥ ବେଳାଭୂମିରେ ନୂତନ ବ୍ଲୁ ଫ୍ଲାଗ ବିଚ୍ ହେବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଚକ୍ରତୀର୍ଥ ବେଳାଭୂମିରେ ଶତାଧିକ କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ମହିଳା ବ୍ୟବସାୟୀଙ୍କ ଉପସ୍ଥିତିରେ ଖୋଦ୍ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସି ବାଲିରେ ବସିବା ସହ ବ୍ଲୁ ଫ୍ଲାଗ ବିଚ୍ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ପ୍ରଶାସନର ଏ ନିଷ୍ପତ୍ତିକୁ ସଭିଏଁ ସ୍ବାଗତ କରିଛନ୍ତି ।
୬ କୋଟି ଟଙ୍କା ବ୍ୟୟରେ ଚକ୍ରତୀର୍ଥ ବେଳାଭୂମିର ବିକାଶ ସହ ସୌନ୍ଦର୍ଯ୍ୟ କରଣକାର୍ଯ୍ୟ ହେବ। କୌଣସି ଉଠା ଦୋକାନୀଙ୍କୁ ଏଠାରୁ ବିସ୍ଥାପିତ କରାଯିବ ନାହିଁ । ବେଳାଭୂମିରେ ପରିଚାଳନା ସ୍ଥାନୀୟ ବ୍ୟବସାୟୀଙ୍କ ସହଯୋଗରେ ବିଚ ଉନ୍ନୟନ କମିଟି ଦ୍ବାରା କରାଯିବ । ବେଳାଭୂମିର ପରିଚାଳନା ପାଇଁ କୌଣସି ଘରୋଇ ସଂସ୍ଥାକୁ ଟେଣ୍ଡର ଦିଆଯିବ ନାହିଁ । ଏହି ବେଳାଭୂମିରୁ ଆଦାୟ ହେବାକୁ ଥିବା ଖର୍ଚ୍ଚରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟବସ୍ଥା ହେବ । ଏନେଇ ଲିଖିତ ଭାବେ ସଂଘକୁ ଜଣାଇ ଦିଆଯାଇଛି । ବିରୋଧ ଯୋଗୁଁ ଦୀର୍ଘ ଦେଢ଼ ବର୍ଷ ହେବ ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି । ଜିଲ୍ଲାପାଳ ବେଳାଭୂମି ବିକାଶ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଯାତ୍ରୀଙ୍କ ସୁବିଧା ନିମନ୍ତେ ହୋଟେଲ ବେଳାଭୂମି ନିକଟରେ ଥିବା ଶଙ୍କର ଇଣ୍ଟରନ୍ୟାସନାଲ, ହଲିଡେ ରିସର୍ଟ, ପିଙ୍କ ହାଉସ ଠାରେ ଶୈଚାଳୟ ନିର୍ମାଣ ସହ ପାନୀୟ ଜଳ ବ୍ୟବସ୍ଥା ହେବ । ସେହିପରି ସିଟି ରୋଡ ସଂଲଗ୍ନ ବେଳାଭୂମିକୁ ଜବରଦଖଲ ମୁକ୍ତ କରାଯିବା ସହ ପାର୍କିଂ ଫି ଆଦାୟ ବେଳେ ପିପିପି ମୋଡ କଥା ବିଚାରକୁ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ଜିଲ୍ଲା ପ୍ରଶାସନର ଏ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ସେ କହିଛନ୍ତି, '' ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରି ମାସ ମାସ ଧରି ଆନ୍ଦୋଳନ ହୋଇଥଲା । ହଜାର ହାଜର ଗରିବ କ୍ଷୁଦ୍ର ବ୍ୟବସାୟୀଙ୍କ ଆନ୍ଦୋଳନ ସଫଳ ହୋଇଛି । ବ୍ଲୁ ଫ୍ଲାଗ ବିଚକୁ ଆମେ ବିରୋଧ କରୁଛୁ ବିକାଶକୁ ନୁହେଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟ କ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟ ହେଲେ କିଛି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ।
ଇଟିଭି ଭାରତ, ପୁରୀ