ପୁରୀ: ସୁନାବେଶରେ ମହାପ୍ରଭୁଙ୍କୁ ଭଙ୍ଗା କିରିଟ ପିନ୍ଧାଇବା ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମହାପ୍ରଭୁଙ୍କୁ ଯେଭଳି ଭଙ୍ଗା କିରିଟ ପିନ୍ଧାଗଲା ତାହା ଠାକୁରଙ୍କ ପ୍ରତି ଅପମାନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ଯେଉଁଠି ଶ୍ରୀଜୀଉଙ୍କର କୁଇଣ୍ଟାଲ କୁଇଣ୍ଟାଲ ସୁନା ଗଚ୍ଛିତ ଥିବା ବେଳେ ସେଠାରେ ମହାପ୍ରଭୁଙ୍କୁ ଭଙ୍ଗା କିରିଟ ପିନ୍ଧାଇବା ଘଟଣାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅପାରଗତା ବୋଲି କହିଛି ଜଗନ୍ନାଥ ସେନା । ଶ୍ରୀଜୀଉଙ୍କ ପ୍ରତି ଅପମାନ କରିଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ତୁରନ୍ତ ସରକାର ବହିଷ୍କାର କରିବାକୁ ଜଗନ୍ନାଥ ସେନା ଦାବି କରିଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିରର ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ରହିବା ଉଚିତ । କିନ୍ତୁ ସରକାର ଏହା ନ ମାନି ପାଞ୍ଚ ପାଞ୍ଚଟି ବିଭାଗର ଦାୟିତ୍ବରେ ଥିବା ଜଣେ ଅଧିକାରୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ଦେଇଛନ୍ତି । ଫଳରେ ସେ ଶ୍ରୀମନ୍ଦିରର ଦାୟିତ୍ବ ଠିକରେ ତୁଲାଇ ପାରୁ ନ ଥିବା ହେତୁ ଶନିବାର ବଡଠାକୁରଙ୍କ ସୁନାବେଶରେ ଭଙ୍ଗା କିରିଟ ପିନ୍ଧିଥିବା ନେଇ ଜଗନ୍ନାଥ ସେନା ଅଭିଯୋଗ କରିଛି। ସେହିପରି ଚଳିତ ରଥଯାତ୍ରା ବିନା ଭକ୍ତରେ ହୋଇ ଥିବାବେଳେ ଶ୍ରୀକ୍ଷେତ୍ର ବାସୀ ଏହାକୁ ମାନି ଘରେ ରହିଥିଲେ । ହେଲେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ମନ୍ତ୍ରୀ, ବିଧାୟକଙ୍କ ସମ୍ପର୍କୀୟ, ଅନୁଗତଙ୍କୁ ଅନେକ ପାସ ଦିଆଯାଇ ଥିବା ନଜରକୁ ଆସିଛି ।
ସେପଟେ ଏମାନଙ୍କୁ କାହିଁକି ପାସ ଦିଆଯାଇଥିଲା ଓ ଏହା ପଛରେ କାହାର ହାତ ଅଛି ଏହାର ତଦନ୍ତ ଦାବି କରିଛି ସେନା। ସରକାର ଏହି ଦାବି ପୂରଣ ନ କଲେ ଜଗନ୍ନାଥ ପ୍ରେମୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ