ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ମାସେ 5 ଦିନ ଧରି ଚାଲିବ ଏହି ନୀତିକାନ୍ତି । କାର୍ତ୍ତିକ ବ୍ରତଧାରୀମାନେ କୁମାର ପୂର୍ଣ୍ଣିମା ପରଦିନଠୁ ସଂକଳ୍ପ ନେଇ କାର୍ତ୍ତିକ ବ୍ରତ ପାଳନ କରି ଶ୍ରୀଜିଉଙ୍କ ଦର୍ଶନ କରିବେ । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ଏକ ପବିତ୍ର ମାସ । ଏହି ମାସରେ ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ମହାପ୍ରଭୁଙ୍କ ଦର୍ଶନ ଓ କାର୍ତ୍ତିକ ମାହାତ୍ମ୍ୟ ଶୁଣିବା ପାଇଁ ଶ୍ରୀକ୍ଷେତ୍ରକୁ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ ।
ତେବେ ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ପ୍ରତିବର୍ଷ ଏହି ମାସରେ ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ପଞ୍ଚୁକରେ ମହାପ୍ରଭୁଙ୍କର ୫ଟି ସ୍ୱତନ୍ତ୍ର ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ଏହି ମାସରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ମହାମାରୀ ଭୟରେ ହବିଷ୍ୟାଳୀମାନେ ଏଥର ପୁରୀ ଆସିନାହାନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତିବର୍ଷ ହବିଷ୍ୟାଳୀଙ୍କ ରହିବା ପାଇଁ ଶିବିର ମଧ୍ୟ କରାଯାଇନାହିଁ ।
କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡକୁ ଦେଖି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ରହିଛି । ଫଳରେ ପୁରୀରେ ରହିଥିବା ଅଳ୍ପ କିଛି ହବିଷ୍ୟାଳୀ ଏଥର କାର୍ତ୍ତିକ ବ୍ରତରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ବେଶ ଦୁଃଖ ପ୍ରକାଶ କରିଛନ୍ତି । ଆଜି କାର୍ତ୍ତିକ ନୀତି ଆରମ୍ଭ ପରିପ୍ରେକ୍ଷୀରେ ସିଂହଦ୍ୱାର ସମ୍ମୁଖଠୁ ଦୂରରେ ରହି ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ର ରହି ପ୍ରାତଃ ସ୍ନାନ କରି ଚଉରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରନ୍ତି । ଗୋଟିଏ ବେଳା ମହାପ୍ରସାଦ ସେବନ କରି କାର୍ତ୍ତିକ ମହାତ୍ମ୍ୟ ଶ୍ରବଣ କରନ୍ତି । ଏଥର କୋରୋନା ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନଥିବା ବେଳେ ଅଳ୍ପ କିଛି ହବିଷ୍ୟାଳୀ ନିଜ ଖର୍ଚ୍ଚରେ ପୁରୀ ଆସି ବିଭିନ୍ନ ମଠ ଆଶ୍ରମରେ ରହି କାର୍ତ୍ତିକ ବ୍ରତ ପାଳନ ନେଇ ବ୍ୟବସ୍ଥା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ