ପୁରୀ : ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା । ଯାହାକୁ ନେଇ ବର୍ଷିଛି କଂଗ୍ରେସ । ଏନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପୁରୀରେ ଜିଲ୍ଲା କଂଗ୍ରେସ ଦଳ ସତ୍ୟାଗ୍ରହ କରିଛି । ସୂଚନାନୁସାରେ ନ୍ୟାସନାଲ ହେରାଲଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ସତ୍ୟାଗ୍ରହକୁ ଓହ୍ଲାଇଛି । ଏପରିକି ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଛି ।
ନିକଟରେ ଦଳ ପକ୍ଷରୁ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଦଳ ଅଭିଯୋଗ ଆଣିଛି ନ୍ୟାସନାଲ ହେରାଲଡ ମାମଲାରେ ବିଜେପି ସରକାର ଜାଣିଶୁଣି ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛି । କୌଣସି ଏତଲା ନଥାଇ ମଧ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଗୋଟିଏ ଦିନରେ ଇଡି ପଚରାଉଚୁରା ନସାରି ୩ ଦିନ ଧରି ପ୍ରାୟ ୩୦ ଘଣ୍ଟା ଜେରା କରିଥିଲେ ।
ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ଥିବା ସତ୍ତ୍ୱେ ରାଷ୍ଟ୍ରପତି ନିର୍ବାଚନ ଗଣତି ଦିନ ଜାଣିଶୁଣି ଇଡି ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇ ଜେରା କରାଯାଇଛି । ଇଡି କ'ଣ ଜେରା କରୁଛି ତାହା ସର୍ବସାଧାରଣରେ ପ୍ରକାଶ କରିବା କଥା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ପ୍ରବଞ୍ଚନ ନିର୍ଦ୍ଦେଶାଳୟରେ ପରିଣତ ହୋଇଛି ବୋଲି ଦଳ ଅଭିଯୋଗ ଆଣିଛି । ଦରଦାମ ବୃଦ୍ଧିକୁ ଲୋକଙ୍କ ମନରୁ ଭୁଲାଇବା ପାଇଁ ବିଜେପିର ଏହି ହୀନ ରାଜନୀତିର ଜବାବ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ପୁରୀ