ପୁରୀ: ଦୀପାବଳି ପାଇଁ ଶ୍ରୀମନ୍ଦିରରେ ଲାଗୁ ହେଲେ କଟକଣା । ସିଂହଦ୍ବାରରେ କାଉଁରିଆ କାଠି ଜଳିବା ଉପରେ ଲାଗିଲା କଟକଣା । ଦୀପାବଳିରେ ପୁରୀ ବିର ଗୋବିନ୍ଦପୁରର ଦକ୍ଷିଣ କାଳୀ ମନ୍ଦିର ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦକ୍ଷିଣ କାଳୀ ମନ୍ଦିର ଅଞ୍ଚଳରେ 144 ଧାରା ଜାରି ହେବ ।
ଦୀପାବଳୀରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏହା ସହିତ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବାକୁ ଭକ୍ତଙ୍କୁ ବାରଣ କରାଯାଇଛି । ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏହି କଟକଣା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଆସନ୍ତା 4 ଓ 5 ତାରିଖ ଦୁଇ ଦିନ ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ 144 ଧାରା ଲାଗୁହେବ । ଏଣୁ ସେଠାକୁ କୌଣସି ଭକ୍ତ ନ ଯିବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । କେଵଳ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ କେଵଳ ପୂଜା ବିଧି ଅନୁଷ୍ଠିତ ହେବ।
ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏସଓପି ଗାଇଡ଼ଲାଇନ ଅନୁଯାୟୀ ଅତ୍ୟଧିକ ଭିଡ଼ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତମାନେ କାଉଁରିଆ କାଠି ଜଳିବା ନେଇ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କାଉଁରିଆ କାଠି ଧୂଆଁରେ ବାୟୁ ମଣ୍ଡଳ ପ୍ରଦୂଷିତ ହେବାର ସମ୍ଭାବନା ଥିବା ବେଳେ କୋଭିଡ ସଂକ୍ରମଣ ବଢିବା ଆଶଙ୍କା ରହିଛି । ଏଣୁ ଶ୍ରୀମନ୍ଦିର ସିଂହ ଦ୍ବାର ସମ୍ମୁଖରେ କାଉଁରିଆ କାଠି ଜଳିବା ନେଇ ଭକ୍ତଙ୍କ ଉପରେ କଟକଣା ଲାଗୁ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ