କଟକ: ଚଳିତ ବର୍ଷ ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ ପ୍ରକ୍ରିୟା । ନୟାଗଡ଼ରୁ ଆସିଥିବା ୩ଟି ଧୌରା କାଠକୁ ପୂଜାର୍ଚ୍ଚନା ପରେ ଖପୁରିଆ କରତ ମିଲରେ ଚିରଟ କରାଯାଇଛି । ଯଥା ରୀତିନୀତି ପୂର୍ବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ଆରମ୍ଭ ହୋଇଥିଲା ଚିରଟ କାର୍ଯ୍ୟକ୍ରମ । ଅନ୍ୟପଟେ ରଥଯାତ୍ରା ପାଇଁ ପ୍ରାୟ ୧୦ ହଜାର ସିଏଫଟି କାଠର ଆବଶ୍ୟକତା ପଡିଥାଏ । ଏଗୁଡ଼ିକୁ ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା ଡିଭିଜନମାନଙ୍କରୁ ସଂଗ୍ରହ କରାଯାଇଥାଏ।
ବର୍ତ୍ତମାନ ସୁଦ୍ଧା ୪୫୦୦ ସି ଏଫ ଟି କାଠ ସଂଗ୍ରହ ହୋଇଥିବାବେଳେ ଖୁବ ଶୀଘ୍ର ଅବଶିଷ୍ଟ ୫୫୦୦ ସି ଏଫ ଟି କାଠ ମଳିଯିବ ବୋଲି କହିଛନ୍ତି କଟକ ବନ ବିଭାଗ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ । ଏହାସହିତ ଜୁଲାଇ 4 ତାରିଖରେ ଗୁଣ୍ଡିଚା ଯାତ୍ରାକୁ ଆଖି ଆଗରେ ରଖି ମିଲରେ ରାତି ଦିନ ଏକ କରି କାମ ସମ୍ପାଦନ କରିବୁ ବୋଲି କହିଛନ୍ତି ମିଲ ପରିଚାଳକ ।
ତେବେ ରଥଯାତ୍ରା ପାଇଁ ହାତରେ ରହିଲା ଖୁବ କମ ସମୟ । ଏହାରି ଭିତରେ ଦିନ ରାତି ଏକ କରି ମହାପ୍ରଭୁଙ୍କ କାମ ସମ୍ପାଦନ କରିପାରିଲେ ନିଶ୍ଚୟ ପୂଣ୍ୟ ପ୍ରାପ୍ତି ହେବା ନେଇ ଆଶା ରଖିଛନ୍ତି ମିଲ କର୍ମଚାରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ