କଟକ: ସ୍ଥାନୀୟ ସେଲଟର ଛକ ଏସବିଆଇ କଲୋନୀରେ ମା' ଏବଂ ୭ ମାସର ଶିଶୁର ମୃତ୍ୟୁ ଘଟଣା ପୁରା ସହରକୁ ସ୍ତବ୍ଧ କରି ପକାଇଛି । ଏହି ଘଟଣାରେ ଆଜି ମୃତ ବନସ୍ମିତା ଓ ତାଙ୍କର ଶିଶୁ କନ୍ୟାର ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଇଛି ବିଡାନାସୀ ପୋଲିସ । ସେପଟେ ନିଜ ଝିଅର ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ରହୁଥିବା ବନସ୍ମିତା ପ୍ରଥମେ ଶିଶୁ କନ୍ୟାଟିକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ସେପଟେ ବନସ୍ମିତାଙ୍କୁ କାଉନସିଲିଂର ଆବଶ୍ୟକତା ଥିଲା ଯାହା ନମିଳିବାରୁ ଏହା ଘଟିଥାଇ ପାରେ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।
ତିନି ତଳେ ଯେଉଁ ସମୟରେ ବନସ୍ମିତା ନିଜର କ୍ବାର୍ଟରକୁ ନିଜର ନବଜାତ ଶିଶୁ କନ୍ୟା ସହିତ ଫେରିଥିଲେ, ଠିକ ସେହି ସମୟରେ ଆଜି ଘରୁ ବହାରିଥିଲେ । କିନ୍ତୁ ନଥିଲା ତିନି ଦିନ ତଳର ସେହି ପରିସ୍ଥିତି । ସେଦିନର ବନସ୍ମିତା ଓ ତାଙ୍କର କୁନି ଝିଅର ସଚଳ ଶରୀର ଆଜି ନିଶ୍ଚଳ ପାଲଟି ଯାଇଥିଲା । ଆସିବା ସମୟରେ ପୁରା ପରିବାର ସହିତ କାରରେ ଘରକୁ ଆସିଥିଲେ କିନ୍ତୁ ଯିବା ବେଳକୁ କେବଳ ନିଜର ୭ ମାସର କୁନି ଝିଅଟି ସହ ଆମ୍ବୁଲାନ୍ସରେ ଗଲେ । ଏହି ଦୃଶ୍ୟ ଯେ ହୃଦୟ ବିଦାରକ ଥିଲା ଯେ ପ୍ରୀୟ ପରିଜନଙ୍କ ସହ ପଡୋଶୀ ନିଜ କୋହ ସମ୍ଭରଣ କରି ପାରିନଥିଲେ । ପୁରା ଏସବିଆଇ କଲୋନୀ ଥିଲା ଶବ୍ଧ ଓ ନିରବ । ଶୁକ୍ରବାର ଏହି ଅଘଟଣ ପରେ ପୋଲିସ ଆଜି ଦୁଇଟି ଯାକ ମୃତଦେହକୁ ଜବତ କରି ପୋଷ୍ଟମଟମ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି ।
କଟକ ଏସବିଆଇ ମୁଖ୍ୟ ଶାଖାରେ କ୍ଲର୍କ ଭାବେ କାମ କରୁଥିବା ବନସ୍ମିତା ଏହି କ୍ବାଟରରେ ନିଜର ୬ ବର୍ଷର ଝିଅ ଓ ସ୍ବାମୀଙ୍କ ସହ ଦୀର୍ଘ ବର୍ଷ ଧରି ରହିଆସୁଥିଲେ । ୭ ମାସ ତଳେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ହେବାର କିଛି ମାସ ପରେ ସେହି ନବଜାତ ଶିଶୁକନ୍ୟାଟିର ମୁଣ୍ଡଟି ଅସ୍ବାଭାବିକ ଭାବେ ବଢିବାରେ ଲାଗିଥିଲା । ଏହାର ଉପଚାର ପାଇଁ ଗତ ଦେଢମାସ ତଳେ ତାର ଅପରେସନ ମଧ୍ୟ ହୋଇଥିଲା । କିନ୍ତୁ ନିଜ ଝିଅର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସେ ସବୁବେଳେ ଚିନ୍ତିତ ରହୁଥିଲେ । ଏବଂ ଗତକାଲି ସନ୍ଧ୍ୟାରେ ସ୍ବାମୀ ଘରେ ନଥିବାର ସୁଯୋଗ ନେଇ ସେ ବଡ ଝିଅକୁ ପଡୋଶୀଙ୍କ ଘରରେ ଛାଡି ଦେଇଥିଲେ । ଏବଂ ଯେଉଁ ସନ୍ତାନକୁ ସେ ଜନ୍ମ ଦେଇଥିଲେ ଶେଷରେ ଅତି ନିଷ୍ଠୁର ଭାବେ ତାକୁ କ୍ଷତାକ୍ତ କରି ହତ୍ୟା କରିବା ପରେ ନିଜେ ଘର ପଙ୍ଖାରେ ରସି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ତେବେ ବନସ୍ମିତାଙ୍କୁ ଯଦି ସଠିକ ସମୟରେ ସଠିକ କାଉଁସିଲିଂ ମିଳିପାରିଥାନ୍ତା, ତେବେ ତାଙ୍କୁ ଏପରି କରିବାରୁ ରୋକାଯାଇ ଥାଇ ପାରିଥାନ୍ତା ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ । ବନସ୍ମିତାଙ୍କ ଘରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ