କଟକ: କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ପକ୍ଷରୁ ସହରରେ ଆଉ ଦୁଇଟି କୋଭିଡ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସିଏମସି ଡେପୁଟି କମିଶନର ।
କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଅଲମ୍ପିକ ଆସୋସିଏସନ ବିଲ୍ଡିଂ ଓ ଇଣ୍ଡୋର ଷ୍ଟାଡିୟମରେ କୋଭିଡ ହସ୍ପିଟାଲ ଖୋଲା ଯାଇଛି। ଅଲମ୍ପିକ ଆସୋସିଏସନ ବିଲ୍ଡିଂ ରେ ୭୫ ଟି ବେଡ଼ର ବ୍ୟବସ୍ଥା କରାଯାଇଥିଲାବେଳେ ଇଣ୍ଡୋର ଷ୍ଟାଡିୟମରେ ୫୦ ଟି ବେଡ଼ ର ସୁବିଧା କରାଯାଇଛି।
ଏହି ହସ୍ପିଟାଲରେ କେବଳ ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଦେଖାଯାଇଥିବା ସହରର କୋରୋନା ରୋଗୀ ରହିପାରିବେ। ଏଥିପାଇଁ କୋଭିଡ ହସ୍ପିଟାଲ ଗୁଡିକରେ ଡାକ୍ତର, ଷ୍ଟାଫ ନର୍ସ, ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ହସପିଟାଲରେ ରୋଗୀ ମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯିବ।
ସେହିପରି ସହରର ଯେଉଁମାନଙ୍କର ଘରେ ରହିବା ପାଇଁ ସୁବିଧା ନାହିଁ ସେମାନଙ୍କୁ ହିଁ ଏହି ସୁବିଧା ପ୍ରଦାନ କରାଯିବ। ତେବେ ଏହି ହସ୍ପିଟାଲ ଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସିଏମସି ଡେପୁଟି କମିଶନର କହିଛନ୍ତି ।
କଟକରେ ଏବେ ସୁଦ୍ଧା 1431 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 403 ଆକ୍ଟିଭ ମାମଲା ରହିଛି । 1016 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଜଣଙ୍କର ମୃତ୍ୟୁ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ