କଟକ: ଲକଡାଉନ ଅନେକଙ୍କୁ ପ୍ରଭାବିତ କରିଛି । ହଠାତ ସରକାରଙ୍କ ଏ ନିଷ୍ପତ୍ତି ବଦଳାଇ ଦେଇଛି ଅନେକଙ୍କ ଜୀବନ । ଯିଏ ଯେଉଁଠି ଥିଲେ ସେଠାରେ ବାଧ୍ୟ ହୋଇ ରହିବାକୁ ପଡୁଛି । ଅନେକ ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ପାଇଁ ଯାଇ ଫସି ରହିଛନ୍ତି ହଷ୍ଟେଲରେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପିଜି ପାଇଁ ଆସିଥିବା ବିଦ୍ୟାର୍ଥୀ ଏବେ କଟକରେ ଅଟକି ରହିଛନ୍ତି । ତୁରନ୍ତ ଘରକୁ ଯିବା ପଠେଇବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।
କୋରୋନା ସଂକ୍ରମଣକୁ ରୋକିବାକୁ ଯାଇ ହଠାତ ଲକଡାଉନରେ ବନ୍ଦ ହୋଇଗଲା ଗାଡି ଚଳାଚଳ । ଆଉ ତା ସାଙ୍ଗକୁ ଯାତାୟତ । ଫଳରେ ଉଚ୍ଚ ଶିକ୍ଷା ପାଇଁ ବିଦ୍ୟାର୍ଥୀ ଘରୁ ଯାଇ ନପାରି ହଷ୍ଟେଲରେ ରହିଯାଇଛନ୍ତି । ଏପଟେ କଟକଣା ପାଇଁ ମେସ ବନ୍ଦ । ତେଣୁ ଏବେ ଏମାନଙ୍କ ମୁଖ୍ୟ ସମସ୍ୟା ପାଲଟିଛି ଖାଇବା । ଯାହା ଯେତିକି ଖାଦ୍ୟ ସାମଗ୍ରୀ ଥିଲା ତାହା ବି ସରିବା ଉପରେ । ଦୀର୍ଘ ଦେଢ ମାସ ଧରି ଶୁଖିଲା ଖାଦ୍ୟ ବିସ୍କୁଟ , ଡୂଡାରେ ଦିନ କାଟବାକୁ ବାଧ୍ୟ ହେଉଛନ୍ତି ।ପରିସ୍ଥିତି ଏପରି ଇଚ୍ଛା ଥିଲେ ମଧ୍ୟ ଘରକୁ ଯିବାକୁ ଭୟ ଲାଗୁଛି । କାରଣ କଟକରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
କଳାହାଣ୍ଡିରୁ ଆସି କଟକ ଶୈଳବାଳାରେ ଇଂରାଜୀରେ ପିଜି କରୁଛନ୍ତି ପ୍ରୀତି ପ୍ରିୟଙ୍କା । ପ୍ରୀତି ଲକଡାଉନ ପର ଠାରୁ ହଷ୍ଟେଲରେ ପଡି ରହିଛନ୍ତି । ପ୍ରୀତିଙ୍କ ପରି ସୁବର୍ଣ୍ଣପୁରର ହେମନ୍ତ ମଧ୍ୟ ରେଭେନ୍ସାରେ ଓଡିଆରେ ପିଜି କରୁଛନ୍ତି । ଲକଡାଉନ ପର ଠାରୁ ସେ ବି ମଧ୍ୟ କଟକର ଏକ ପ୍ରାଇଭେଟ ହଷ୍ଟେଲରେ ଅଟକି ଯାଇଛନ୍ତି । ସେହି ସମାନ ଅବସ୍ଥା ମୟୂରଭଞ୍ଜର ବିଶ୍ବରଞ୍ଜନଙ୍କର ।
ଦିନ ଗଡିବା ସାଙ୍ଗ ଲକଡାଉନ ଗଡୁଛି । ବିଦ୍ୟାର୍ଥଙ୍କ ଏବେ ଚିନ୍ତା ବଢାଇଛି । ହାତରେ ପଇସା ସରିଆସିଲାଣି ସେପଟେ, ପରିବାର ପକ୍ଷରୁ ଏହି ସମୟରେ ପଇସା ପଠାଇବା ସମ୍ଭବ ହେଉ ନାହିଁ । ତେବେ ଏମାନେ କେବଳ ନୁହଁନ୍ତି ଜିଲ୍ଲାରେ ଏବେ ଅନେକ ଛାତ୍ରୀଛାତ୍ରୀ ଲକଡାଉନ ପାଇଁ କଟକରେ ଫସି ଯାଇଛନ୍ତି । ତୁରନ୍ତ ଘରକୁ ଫେରାଇ ନେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ