କଟକ: ବଡ ମେଡିକାଲକୁ ଆସୁଥିବା ରୋଗୀଙ୍କ ପାଇଁ ସୁଗମ ହେଲା ପଥ। କଚ୍ଚା ରାସ୍ତା କି ଖାଲଖମା ନୁହେଁ ସୁପ୍ରଶସ୍ତ ରାସ୍ତାରେ ତୁରନ୍ତ ପହଞ୍ଚିବେ ରୋଗୀ । ଟ୍ରାଫିକ ସମସ୍ୟାର ବି ନାହିଁ ଟେନସନ । ଫଳରେ ବିନା ବିଧାରେ ହସ୍ପିଟାଲରେ ପହଞ୍ଚିବେ ରୋଗୀ ଓ ରୋଗୀ ସମ୍ପର୍କୀୟ । କାରଣ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ଵର ରାସ୍ତା ପ୍ରଶସ୍ତ କରିବା ସହ ସୌନ୍ଦରୀକରଣ ପ୍ରକଳ୍ପ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ।
ଏହି ପ୍ରକଳ୍ପ ଯୋଗୁଁ ଏବେ ହସ୍ପିଟାଲକୁ ଯୋବ୍ରା ଆନିକଟ ଦେଇ ଗଲେ ମାତ୍ର 5 ମିନିଟ ସମୟ ଲାଗିବ । ଯାହାକି ପୂର୍ବରୁ ଅଧା ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା । ତାଳଦଣ୍ଡା କେନାଲର ଦୁଇ ପଟ ଦେଇ ଯୋବ୍ରା ବ୍ୟାରେଜରୁ ରାଣୀହାଟ ପର୍ଯ୍ୟନ୍ତ ଲମ୍ବି ଥିବା ଦେଢ କିଲୋମିଟର ରାସ୍ତା ଆଉ ଅଣ ଓସାରିଆ ହୋଇ ରହିନାହିଁ । ୧୦ ଫୁଟ ଓସାର ଥିବା ଏହି ରାସ୍ତା ଦୁଇଟି ଏବେ ୩୦ ଫୁଟ ପ୍ରଶସ୍ଥ କରାଯାଇଛି । ଏସସିବିକୁ ବିଶ୍ବସ୍ତରୀୟ କରିବା ମାନ୍ୟତାରେ ବେଆଇନ ବସ୍ତିଗୁଡିକର ଉଚ୍ଛେଦ ଏବେ ସହରର ଅନ୍ୟତମ ଆକର୍ଷଣ ସ୍ଥାନ ପାଲଟିଛି । ଏଥିସହ ରାସ୍ତା ଉଭୟ ପାର୍ଶ୍ବରେ ପ୍ରାତଃଭ୍ରମଣ ପାଇଁ ଫୁଟପାଥ କରାଯିବା ସହ ଗଛ ଲଗାଯାଇଛି ।
ଏହି ଦୁଇ ପଟ ରାସ୍ତା ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ 7 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହି ପ୍ରକଳ୍ପ ମଧ୍ୟରେ ତାଳଦଣ୍ଡା କେନାଲର ଉଭୟ ପଟ ରାସ୍ତାର ପ୍ରଶସ୍ତିକରଣ, ସବୁଜିମା ଓ ଆଲୋକୀକରଣ ଓ ପାର୍କ ପ୍ଲେସ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହା ବ୍ୟତୀତ ଏହି ଐତିହାସିକ କେନାଲର ଉଭୟ ବନ୍ଧକୁ ସଂଯୋଗ କରିବାକୁ ୧୪ କୋଟି ଟଙ୍କା ବ୍ୟୟରେ ନୂତନ ପୋଲ ନିର୍ମାଣ ହେବ । ତେବେ ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ତାଳଦଣ୍ଡା କେନାଲର ରାସ୍ତା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପ କୁ ସ୍ୱାଗତ କରିଛନ୍ତି କଟକ ବାସିନ୍ଦା। ଅନ୍ୟ କେତେକ ପ୍ରଥମେ ହସ୍ପିଟାଲ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ।
ଗତ ଫେବ୍ରୁଆରୀ ମାସ ୨୩ ତାରିଖରେ ମେଡିକାଲ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ହେଲେ କୋରୋନା ପାଇଁ ବିଳମ୍ବ ହେବାର ଲାଗିଛି।
କଟକରୁ ନାରାୟଣ ସାହୁ ଇଟିଭି ଭାରତ