ଭୁବନେଶ୍ବର: କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ । ଓଡ଼ିଶାର ରାଜନୈତିକ ପଟ୍ଟଚିତ୍ରରେ ଏହାର ସ୍ବତନ୍ତ୍ର ଏକ ପରିଚୟ ରହିଛି । ଏଠାରୁ ଯେଉଁ ଦଳର ପ୍ରାର୍ଥୀ ଜିତିଛନ୍ତି ସେହି ଦଳ ସର୍ବଦା ରାଜ୍ୟରେ ସରକାର ଗଢ଼ିଆସିଛି । ଏ ଗଣନା କେବେବି ଭୁଲ ହୋଇନାହିଁ । ତେଣୁ ନିର୍ବାଚନ ବେଳେ ମାହାଙ୍ଗା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି ଉଭୟ ରାଜନେତା ଏବଂ ରାଜନୈତିକ ସମୀକ୍ଷକ । ତେବେ ଚଳିତ ଥର ଗଣିତ ଭୁଲ ହେବାର ସମ୍ଭାବନା ଅଧିକ ଏବଂ ଏହାକୁ ଏଡ଼ାଯାଇ ପାରିବନାହିଁ ।
ରାଜ୍ୟ ବିଧାନସଭାର 95 ନମ୍ବର ନିର୍ବାଚନ ମଣ୍ଡଳୀ ହେଉଛି ମାହାଙ୍ଗା । ସ୍ବାଧୀନତା ପରେହିଁ ଆସନଟି ଗଢ଼ି ଉଠିଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ଏ ହେଉଛି ନିର୍ବାଚନୀ କ୍ଷେତ୍ର । ପୁଣି ଏହିଠାରୁ ଲଢ଼ି 4 ଥର ବିଧାୟକ ହେବାସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ କଂଗ୍ରେସର ତୁଙ୍ଗ ନେତା ଶେଖ୍ ମତଲୁବ ଅଲ୍ଲୀ । ଆଉ ଏବେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା(ଲୁଲୁ) ଏଠାରୁ ଗତ ଦୁଇଟି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ଜିତି ଆସୁଛନ୍ତି । ତେଣୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରାଜ୍ୟବାସୀଙ୍କୁ ବହୁ ଆଗଧାଡ଼ିର ନେତା ଦେଇଛି ।
ବିଗତ ଚାରିଟି ନିର୍ବାଚନରେ ମାହାଙ୍ଗା ଆସନ ହାତଛଡ଼ା କରିନି ବିଜେଡି । 2000 ମସିହାରେ ଶରତ କର ନିର୍ବାଚନ ଜିତି ବାଚସ୍ପତି ହୋଇଥିଲେ । ସେହିଭଳି 2004ରେ ବିକ୍ରମ କେଶରୀ ବର୍ମା ଏବଂ 2009 ଓ 2014ରେ ପ୍ରତାପ ଜେନା ଜିତିଥିଲେ । ରୋଚକ କଥା ହେଉଛି 4 ଥର କଂଗ୍ରେସ ଟିକେଟରେ ଜିତି ମନ୍ତ୍ରୀ ହୋଇସାରିଥିବା ବରିଷ୍ଠ ନେତା ମତଲୁବ ଅଲ୍ଲୀ ଗତ 4ଟି ନିର୍ବାଚନରେ ହାରି ଆସୁଛନ୍ତି । ଯାହାକି ଦଳୀୟ ସଂଗଠନକୁ ବେଶ ଦୁର୍ବଳ କରିଛି ।
![undefined](https://s3.amazonaws.com/saranyu-test/etv-bharath-assests/images/ad.png)
ଏବେ କିନ୍ତୁ ଲଢ଼େଇ ଜୋରଦାର ହେବାକୁ ଯାଉଛି । 2014 ନିର୍ବାଚନରେ ପ୍ରତାପ ଜେନାଙ୍କୁ କଡ଼ା ଟକ୍କର ଦେଇଥିବା ସାରଦା ପ୍ରଧାନ(ବୁଲୁ) ବର୍ତ୍ତମାନ ବିଜେପିରେ । ଗତଥର ଶଙ୍ଖ ଚିହ୍ନରେ ଲଢ଼ି ପ୍ରତାପ 89 ହଜାର 531 ଖଣ୍ଡ ଭୋଟ ପାଇଥିଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ସାରଦା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି 61 ହଜାରରୁ ଉର୍ଦ୍ଧ୍ବ ଭୋଟ ହାତେଇଥିଲେ । ତେଣୁ ଏଥର ସେ ବିଜେପି ଟିକେଟରୁ ଲଢ଼ିବା ପକ୍କା ଥିବାବେଳେ ପ୍ରତାପଙ୍କୁ ଆହୁରି ଅଡ଼ୁଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ।
ବଡ଼କଥା ହେଉଛି ଏଥର ମତଲୁବ ଅଲ୍ଲୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବେନି । ଯିଏ କି ସର୍ବଦା ବିଜେଡିକୁ କଡ଼ା ମୁକାବିଲା ଦେଇଆସୁଥିଲେ । ଏପରିକି ମାହାଙ୍ଗାରେ ବର୍ତ୍ତମାନ କଂଗ୍ରେସ ଦଳ ବିଜେଡିର 'ବି' ଟିମ୍ ପାଲଟିସାରିଥିବା ଚର୍ଚ୍ଚା ହେଉଛି । କାରଣ କିଛି ଉତ୍ସବରେ ପ୍ରତାପ ଜେନାଙ୍କ ସହ ଅଲ୍ଲୀଙ୍କୁ ଏକାଠି ଦେଖିବାକୁ ମିଳୁଛି । ତେଣୁ ତାଙ୍କର ସମର୍ଥକ ଆଗାମୀ ନିର୍ବାଚନରେ ବିଜେଡିକୁ ସମର୍ଥନ କରିବା ଆଶା କରାଯାଉଛି । ହେଲେ ଇତିମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ମାହାଙ୍ଗା ପାଇଁ ନିଜର ନୂଆ ସେନାପତି ବାଛି ସାରିଛନ୍ତି ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ମାହାଙ୍ଗା ଅଞ୍ଚଳରେ ତାଙ୍କର ପତିଆରା ବର୍ତ୍ତମାନ କାହିଁରେ କଣ । କାରଣ ପିସିସି ସଭାପତି ତାଙ୍କ ଉପରେ ସୁନା କଳସ ଢାଳିଥିବା ନେଇ ସ୍ଥାନୀୟ ନେତା ଏବଂ କର୍ମୀ କହି ବୁଲୁଛନ୍ତି । ଏପରିକି ନିକଟରେ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଆଶାୟୀ ପ୍ରାର୍ଥୀ ହିସାବରେ ଦେବେନ୍ଦ୍ରଙ୍କ ନାଁ କେନ୍ଦ୍ରୀୟ କିମିଟି ନିକଟକୁ ସୁପାରିଶ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ହୁଏତ ଦେବେନ୍ଦ୍ର କିଛିଟା କଂଗ୍ରେସ ଭୋଟ ଅଟକାଇବାରେ ସକ୍ଷମ ହେବେ । ତେବେ ଏକ ବଡ଼ ଭୋଟ ପୂର୍ବରୁ ବୁଲୁ ପ୍ରଧାନଙ୍କ ଆଡକୁ ଢଳିବା ନେଇ ଚର୍ଚ୍ଚା ଜୋରଧରିଛି ।
![undefined](https://s3.amazonaws.com/saranyu-test/etv-bharath-assests/images/ad.png)
ଏଣୁ ଗତ ନିର୍ବାଚନ ଫଳାଫଳ ଏବଂ ଏବେକାର ରାଜନୈତିକ ସ୍ଥିତିକୁ ବିଚାର କଲେ ମାହାଙ୍ଗାରେ ମୁଖ୍ୟତଃ ବୁଲୁ-ଲୁଲୁ ଲଢ଼େଇ ହେବ ଏ କଥା ଫାଇନାଲ । ହେଲେ ଯଦି ବୁଲୁ ବାଜି ମାରୁଛନ୍ତି ତେବେ ପୂର୍ବ ଗଣିତ ମୁତାବକ ରାଜ୍ୟ ରାଜନୀତିର ଚିତ୍ର ବଦଳିବା ନେଇ ଆଶା । ଲଗାତାର ଚାରିଟି ନିର୍ବାଚନ (2000 ଓ 2004 ରେ କିଶନନଗର ଆସନ ଓ 2009 ଓ 20014 ରେ ମାହାଙ୍ଗାରୁ) ଜିତି ଆସୁଥିବା ପ୍ରତାପ ଜେନା ଏଥର କଡା ମୁକାବିଲାର ସମ୍ମୁଖୀନ ହୋଇପାରନ୍ତି । ତେବେ ନିକଟ ଭବିଷ୍ୟତରେ କଣ ଘଟୁଛି ଏହାକୁ ହିଁ ସମସ୍ତଙ୍କ ଅପେକ୍ଷା ।