କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ବିବାଦ ତେଜିବାରେ ଲାଗିଛି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ସ୍ଥାନୀୟ ପୋଲିସ କୋର୍ଟରେ ପୁନଃ ତଦନ୍ତ ରିପୋର୍ଟ କରିବା ନେଇ କଂଗ୍ରେସ ଆଜି(ଶନିବାର) ଦାବି ଉଠାଇଛି । ତେବେ ଏହି ଘଟଣାକୁ ନେଇ ବ୍ଲକ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ ମଧ୍ୟ କରିଛି କଂଗ୍ରେସ । ସୂଚନାନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ନୁର୍ତ୍ତାଙ୍ଗ ପଞ୍ଚାୟତରେ ବହୁ ଚର୍ଚ୍ଚିତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ମର୍ଡର ଘଟଣାରେ ଅଭିଯୁକ୍ତଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା ।
ଆଉ ଏହି ମାମଲାର ତଦନ୍ତ ସମୟରେ, ପୋଲିସ କେଶ ଡାଏରୀରେ ମନ୍ତ୍ରୀଙ୍କ ନାଁ ନ ରଖିବା ପ୍ରତିବାଦରେ ସାଲେପୁର ଜେଏମଫସି କୋର୍ଟରେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ମାମଲା ରୁଜୁ କରିଥିଲେ । ଏହାର ଶୁଣାଣି କରି ଗତ ଦୁଇମାସ ପୂର୍ବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ' ଚାର୍ଜସିଟରେ ରହିବ କି ନାହିଁ ସେଥିପାଇଁ JMFC କୋର୍ଟ ପକ୍ଷରୁ ସ୍ଥାନୀୟ ଆଇଆଇସିଙ୍କୁ ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ପୋଲିସ ପକ୍ଷରୁ ପୁନଃ ତଦନ୍ତ ବିଳମ୍ବ ହେଉଛି ଦର୍ଶାଇ ମାହାଙ୍ଗା କଂଗ୍ରେସ ପକ୍ଷରୁ ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ କଂଗ୍ରେସ ନେତା ଆଇନଜୀବୀ ଧରଣୀଧର ନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏବଂ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ପ୍ରମୁଖ ପଦଯାତ୍ରାରେ ଆସି ମାହାଙ୍ଗା ଥାନା ସମ୍ମୁଖରେ ଆଜି ଏକ ପ୍ରତିବାଦ ସଭା କରିଛନ୍ତି । ତେବେ ଆଗାମୀ ୧ ମାସ ଭିତରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ନକଲେ କଂଗ୍ରେସ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ