କଟକ: ସିଡିଏ ଜମି କେଳେଙ୍କାରୀ ମାମଲାରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ସରକାରୀ ଜମିକୁ ନିଜର ଦର୍ଶାଇ କ୍ଷତିପୂରଣ ନେଇଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜମିର ମାଲିକାନା ଓ କ୍ଷତିପୂରଣକୁ ନେଇ ଦାୟର ସମସ୍ତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।
କଟକ ବିଦ୍ୟାଧରପୁର ମୌଜାର ୧୧୨ ଏକର ଜମି ଉପରେ ଜାଲିଆତି ହୋଇଥିଲା। ୧୯୬୩ ମସିହାରେ ଜମିଦାରୀ ଉଚ୍ଛେଦ ଆଇନ ( Estate Abolition Act) ବଳରେ ସରକାରଙ୍କ ମାଲିକାନାକୁ ଆସିଥିଲା କଟକ ବିଦ୍ୟାଧରପୁର ମୌଜାର ୧୧୨ ଏକର ଜମି। ସେହି ଜମି ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ଥିଲା। ଯାହାକୁ ସେ ଅନେକ ଲୋକଙ୍କୁ ଭାଗ ଭାଗ କରି ବିକ୍ରି କରି ଦେଇଥିଲେ।
ତେବେ ଅଭିନବ ବିଡାନାସୀ ପ୍ରକଳ୍ପ ପାଇଁ ସଂପୃକ୍ତ ଜମିକୁ ଅଧିଗ୍ରହଣ ପାଇଁ ସରକାର ନିଷ୍ପତ୍ତ ନେଇଥିଲେ। କିଛି ସରକାରୀ କର୍ମଚାରୀ ଓ କିଛି ଜମି ମାଲିକ ଚଞ୍ଚକତା କରି ଜମି ଅଧିଗ୍ରହଣ ଆଇନ ଆଧାରରେ କ୍ଷତିପୂରଣ ନେଇ ଯାଇଛନ୍ତି। ଆଉ କିଛି ଲୋକ କ୍ଷତିପୂରଣ ରାଶି ବୃଦ୍ଧି କରିବା ପାଇଁ ମାମଲା ଦାୟର କରିଥିଲେ। ତେବେ କୋର୍ଟ ସବୁ ମାମଲାକୁ ଖାରଜ କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ