କଟକ: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୂର୍ବରୁ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦାୟୀ କରାଯାଉଥିଲା । ବର୍ତ୍ତମାନ ଏହି ତାଲିକାରେ ଚତୁର୍ଥ ବ୍ୟକ୍ତି ଭାବେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ଭାଉଜ ତଥା ଗୁରାଣ୍ଡି ଥାନାଅଧିକାରୀ ମମତାରାଣୀ ପଣ୍ଡାଙ୍କ ନାମ ଯୋଡ଼ି ହୋଇଯାଇଛି ।
ACF ସୌମ୍ୟ ମୃତ୍ୟ ମାମଲା, ଥାନା ଅଧିକାରୀ ମମତାରାଣୀ ପଣ୍ଡାଙ୍କ ଉପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଘଟଣାଟି ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଘଟିଥିବା ବେଳେ ଗୁରାଣ୍ଡି ଥାନାଧିକାରୀ ତଥା ବିଦ୍ୟାଭାରତୀଙ୍କ ଭାଉଜ ମମତା ଘଟଣା ସ୍ଥଳରେ ପହଁଛି ପୁରା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲେ । ଏପରିକି ଆହତ ସୌମ୍ୟରଞ୍ଜନଙ୍କୁ ନିକଟସ୍ଥ ଏମ.କେ.ସି.ଜି ହସ୍ପିଟାଲରେ ଭର୍ତ୍ତି କରାଇବା ପରିବର୍ତ୍ତେ ତାଙ୍କୁ କଟକ ପଠାଇବା ପାଇଁ ହୋଇଥିବା ଯୋଜନାରେ ମମତା ମଧ୍ୟ ସାମିଲ ଥିଲେ । ଏହା ସହିତ ମମତା ହିଁ ସୌମ୍ୟରଞ୍ଜନଙ୍କୁ ନେଇ ହସ୍ପିଟାଲ ଯାଉଥିବା ଆମ୍ବୁଲାନ୍ସକୁ ପ୍ରାୟ ଅଧଘଣ୍ଟା କାଳ ଫରେଷ୍ଟ ଗେଟ୍ ଛକରେ ଅଟକାଇ ଥିବା ଅଭିଯୋଗ ହୋଇଛି । ସୋମବାର ଦିନ ସୌମ୍ୟରଞ୍ଜନଙ୍କ ବାପା କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ଆସି ଡିଜିପିଙ୍କୁ ଭେଟିବା ସହ ପ୍ରଦାନ କରିଥିବା ଏକ ଦାବିପତ୍ରରେ ଗୁରାଣ୍ଡି ଥାନା ଅଧିକାରୀ ମମତାରାଣୀ ପଣ୍ଡାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ନିବେଦନ କରିଛନ୍ତି । ଘଟଣା ଦିନ ଗୁରାଣ୍ଡି ଥାନା ଅଧିକାରୀ ମମତାରାଣୀ ପଣ୍ଡା ପ୍ରଥମେ ସୌମ୍ୟରଞ୍ଜନଙ୍କ ଭର୍ତ୍ତି ହୋଇଥିବା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିଥିଲେ । ସେଠାରେ ବିଦ୍ୟାଭାରତୀଙ୍କ ସହିତ ସେ କିଛି କଥା ହେଉଥିବାର ମଧ୍ୟ ଦେଖା ଯାଇଥିଲା । ଏହାପରେ ମମତାରାଣୀ ପଣ୍ଡା ପାରଳାଖେମୁଣ୍ଡି ଥାନାଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ସହ ସୌମ୍ୟରଞ୍ଜନଙ୍କ କ୍ବାଟରରେ ପହଁଛି ସମ୍ପୃକ୍ତ କୋଠରୀରୁ ନିଜେ ପ୍ରମାଣ ମଧ୍ୟ ସଂଗ୍ରହ କରିଥିବା ଅଭିଯୋଗ ହୋଇଛଇ। ବଡ଼ କଥା ହେଲା ମମତାରାଣୀ ପଣ୍ଡାଙ୍କୁ ଏହି ମାମଲାରେ ସହଯୋଗ ପାଇଁ ପୋଲିସ ପକ୍ଷରୁ କୁହାଯାଇ ନଥିଲା । ଏହାସତ୍ତ୍ବେ ସେ ନିଜ ଆଡୁ ଏହି ମମଲାରେ ହସ୍ତକ୍ଷେପ କରିଥିଲେ । ଏହି କଥାକୁ ପାରଳାଖେମୁଣ୍ଡି SDPO ନିଜେ ସ୍ବିକାର ମଧ୍ୟ କରିଛନ୍ତି । ପାରଳାଖେମୁଣ୍ଡି SDPO ରାମକୃଷ୍ଣ ପତିଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ, ମମତାରାଣୀ ଯେ ବିଦ୍ୟାଭରତୀଙ୍କ ସମ୍ପର୍କୀୟ ସେକଥା ପୋଲିସକୁ ଜଣା ଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି କି, ମମତାରାଣୀଙ୍କ ବାବଦରେ ଜାଣିବା ପରେ ମଧ୍ୟ କଣ ପାଇଁ ତାଙ୍କୁ ତଦନ୍ତରେ ସାମିଲ କରାଯାଇଗଲା ? କଣ ନଣଦଙ୍କ ପ୍ରତି କୌଣସି ଆସନ୍ନ ବିପଦର ପୂର୍ବାଭାସ ପାଇଥିଲେ କି ମମତାରାଣୀ? କଣ ବିପଦରୁ ନଣଦକୁ ରକ୍ଷା କରିବା ପାଇଁ ନିଜ ଖାକି ପୋଷାକର ସହଯୋଗ ନେଇଥିଲେ କି ମମତା ? ପୋଲିସ ଘରର ଚାବି ନିଜ ପାଖରେ ନ ରଖି ବିଦ୍ୟାଭାରତୀଙ୍କୁ ଦେବା ଆଇଡିଆ କଣ ମମତାରାଣୀଙ୍କ ଥିଲା ? ସାଇଣ୍ଟିଫିକ ଟିମ୍ ସହାୟତା ଆବଶ୍ୟକତା ନାହିଁ ବୋଲି ନିଜ ଉଚ୍ଚଅଧିକାରୀଙ୍କୁ ବୁଝାଇ ଦେଇଥିଲେ କି ମମତାରାଣୀ ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଉଠିବାରେ ଲାଗିଛି ।
ସେପଟେ ମମତାରାଣୀଙ୍କ ଏହି କାର୍ଯ୍ୟ ଆଇନ ସମ୍ମତ ନୁହେଁ ଓ ଏହାର ତଦନ୍ତ କରାଯିବା ଦରକାର । ଏବଂ ପ୍ରମାଣ ମିଳିଲେ ମମତାରାଣୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ