କଟକ: ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଦର୍ଶକଙ୍କ ଉପସ୍ଥିତିରେ ହେବା ନେଇ ଆଶା ଉଜ୍ଜ୍ୱଳ ହୋଇଛି । କୌଭିଡ କଟକଣା ହଟିବାରୁ ମ୍ୟାଚ ଉପଭୋଗ ପାଇଁ ଏଥର ଦର୍ଶକଙ୍କୁ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ପ୍ରଶାସନ ।
ତେଣୁ, ପ୍ରାୟ ୪୫ ହଜାର ଦର୍ଶକଙ୍କ ପାଇଁ ଷ୍ଟାଡିୟମ ନିକଟରେ ପାର୍କିଂ ବ୍ୟବସ୍ଥା, ଷ୍ଟାଡିୟମ ଭିତରେ ପିଇବା ପାଣି ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଆଜି(ସୋମବାର) ଓସିଏ ସହ ଭିତ୍ତିଭୂମି ତଦାରଖ କରିଛନ୍ତି ଜିଲ୍ଲା ପ୍ରଶାସନ, ସି ଏମ୍ ସି ଓ ସିଡିଏ କର୍ତ୍ତୃପକ୍ଷ । ମ୍ୟାଚ ଦେଖିବା ପାଇଁ ଆସୁଥିବା ଦର୍ଶକଙ୍କ ଗାଡ଼ି ପାର୍କିଂ ଲାଗି ଉପର ବାଲିଯାତ୍ରା ପଡିଆ ଓ ତଳ ବାଲିଯାତ୍ରା ପଡିଆରେ ବ୍ୟବସ୍ଥା କରାଯିବ । ଉପର ପଡିଆରେ VVIP ଓ ତଳ ପଡିଆରେ ସର୍ବସାଧାରଣଙ୍କ ପାଇଁ ପାର୍କିଂର ବ୍ୟବସ୍ଥା କରାଯିବ ।
ଏଥିପାଇଁ ଉଭୟ ପଡିଆକୁ ସମତୁଲ କରାଯିବ। ଏହା ବ୍ୟତୀତ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଶୌଚାଳୟ, ପିଇବା ପାଣି ଓ ସ୍ବଚ୍ଛ ପରିବେଶ ଯୋଗାଇ ଦେବା ପାଇଁ ସିଏମସି ପ୍ରସ୍ତୁତ ହେଉଛି । ସେପଟେ ଟିକେଟ ଦର ବୃଦ୍ଧି ପାଇବ ବୋଲି ଓସିଏ ସୂଚନା ଦେଇଥିବା ବେଳେ ଟିକେଟ ଦର କେତେ ରହିବ ଏବଂ କେବେଠାରୁ ଟିକେଟ ବିକ୍ରି କରାଯିବ ସେସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ