କଟକ: ACF ସୌମ୍ୟରଞ୍ଜନଙ୍କ ରହସ୍ୟମୟ ମୃତ୍ୟୁ ମାମଲା । ଦୁଇ ଦିନିଆ ତଦନ୍ତ ସାରି ଫେରିଲା କ୍ରାଇମବ୍ରାଞ୍ଚ । ଗତକାଲି(ଗୁରୁବାର) କ୍ରାଇମବ୍ରାଞ୍ଚ ଟିମ୍ ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମାରାଥନ ଜେରା କରିଥିଲା । 7 ଘଣ୍ଟାର ଜେରାରେ ତାଙ୍କୁ ପ୍ରାୟ 70ଟି ପ୍ରଶ୍ନ ପଚାରିଥିଲା ଟିମ୍ । ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପାଙ୍କୁ ମଧ୍ୟ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଜେରା ସମୟରେ କ'ଣ ସବୁ ସୁରାକ୍ ହାତରେ ଲାଗିଛି ସେନେଇ କ୍ରାଇମବ୍ରାଞ୍ଚ କିଛି ସୂଚନା ଦେଇନାହିଁ ।
ଅନ୍ୟପଟେ ଗତ ଦୁଇ ଦିନ ମଧ୍ୟରେ 8 ଜଣଙ୍କୁ ଜେରା କରାଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜେରା ହୋଇଛି । ରେକର୍ଡ କରାଯାଇଥିବା ସମସ୍ତ ବୟାନକୁ ଯାଞ୍ଚ କରାଯିବ ଏବଂ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ । ଏହା ଜଣାଇଛନ୍ତି କ୍ରାଇମବ୍ରାଞ୍ଚ ପିଆରଓ ଶିଶିର କୁମାର ମିଶ୍ର ।
କୁହାଯାଉଛି କି ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବା ପରେ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ସେହିପରି ଦୁଇଦିନ ତଳେ ସୌମ୍ୟଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚାରଉଚରା କରାଯାଇଥିଲା । ପରିବାର ଲୋକେ ନିଜର ଅଭିଯୋଗକୁ ଦୋହରାଇଥିବା ଜଣାପଡିଥିଲା । ପୂର୍ବରୁ କ୍ରାଇମବ୍ରାଞ୍ଚ ସନ୍ଦିଗ୍ଧ ଡିଏଫଓ, ଓଆଇସି ମମତାରାଣୀ ପଣ୍ଡା ଓ ରୋଷେୟା ସମେତ ବହୁ ଜଣଙ୍କୁ ଜେରା କରିଥିଲା ।
ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ଆଜକୁ 50 ଦିନ ବିତିସାରିଛି । କ୍ରାଇମବ୍ରାଞ୍ଚ ତଦନ୍ତରେ ଏହି ମୃତ୍ୟୁ ରହସ୍ୟ ଖୁବଶୀଘ୍ର ଫିଟିବ ବୋଲି ଆଶା ସୃଷ୍ଟି ହୋଇଥିବାବେଳେ ବିଦ୍ୟାଭାରତୀଙ୍କୁ ଜେରା ପରେ ମାମଲାର ନିଷ୍କର୍ସ କ'ଣ ବାହାରିବ ତାହା ଉପରେ ସଭିଁଙ୍କ ନଜର ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ