କଟକ: ଆବାସ ଯୋଜନାରେ ଘର ପ୍ରତିଟି ହିତାଧିକାରୀଙ୍କ ଅଧିକାର । ସେମାନଙ୍କଠୁ ଏ ହକ୍ କେହି ବି ଛଡାଇ ନେଇପାରିବେ ନାହିଁ । ହେଲେ ଘର ବଦଳରେ ଇଜ୍ଜତ ବିକ୍ରି କରିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଘର କାମ ସମ୍ପୂର୍ଣ୍ଣ ହେବାକୁ ହେଲେ ଠିକାଦାର ସହ ଶାରୀରିକ ସମ୍ପର୍କ ରଖିବାକୁ ପଡିବ । ତେବେ ଯାଇ ମୁଣ୍ଡକୁ ଛାତ ମିଳିବ । ଶୁଣିବାକୁ ଭୟଙ୍କର ଲାଗୁଥିବା ଏପରି କିଛି ସାଙ୍ଘାତିକ ଅଭିଯୋଗ ଆସିଛି କଟକ ମହାନଗର ନିଗମ ଅଧିନସ୍ଥ 46 ନମ୍ବର ୱାର୍ଡରୁ । ଜଣେ ହିତାଧିକାରୀ ପୂର୍ବତନ କର୍ପୋରେଟରଙ୍କ ନାଁରେ ଆସିଛି ଏପରି ଅଭିଯୋଗ ।
ସୂଚନାଅନୁସାରେ କଟକ ଶିଖରପୁର ନଦୀକୂଳ ସାହିରେ ରହୁଛନ୍ତି ପ୍ରମିଳା ଦେହୁରୀ ଓ ତାଙ୍କ ପରିବାର । ଘରେ କେହି ପୁରୁଷ ନଥିବାରୁ ପ୍ରମିଳା ଓ ତାଙ୍କ ଝିଅଙ୍କୁ ସବୁ ଭଲମନ୍ଦ ବୁଝିବାକୁ ପଡେ । ଆବାସ ଯୋଜନାରୁ ଘର ଖଣ୍ଡିଏ ପାଇଛନ୍ତି ହେଲେ ତାହା ଅଧା ହୋଇ ପଡିଛ । ଛାତ ପଡିନାହିଁ । କିସ୍ତି ଟଙ୍କା ମିଳିଲେ ଆଗକୁ ଘର କରିବା ପାଇଁ ସେ ଓ ତାଙ୍କ ଝିଅ ବାରମ୍ବାର ପୂର୍ବତନ କର୍ପୋରେଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ସେଠାରେ ତାଙ୍କୁ ସମସ୍ୟାର ସମାଧାନ ବଦଳରେ ମିଳିଥିଲା ଇଜ୍ଜତ ବିକ୍ରିର ସର୍ତ୍ତ । ଘର ତିଆରି ପାଇଁ ତାଙ୍କୁ ଠିକାଦାର ସହ ଶାରୀରିକ ସମ୍ପର୍କ ରଖିବାକୁ ପୂର୍ବତନ କର୍ପୋରେଟର କହିଥିବା ଅଭିଯୋଗ ଆଣିଛନ୍ତି ପ୍ରମିଳାଙ୍କ ଝିଅ । ଖାଲି ସେତିକି ନୁହେଁ ତାଙ୍କ ଜାତିକୁ ନେଇ ମଧ୍ୟ ତାଙ୍କୁ ତାତ୍ସଲ୍ୟ କରାଯାଇଥିବା କହିଛନ୍ତି ପୁଷ୍ପଲତା ।
ପୂର୍ବତନ କର୍ପୋରେଟର ଜଣେ ମହିଳା ହୋଇ ମଧ୍ୟ ତାଙ୍କର ଏପରି ଆଚରଣ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ଘଟଣା ପଦାକୁ ଆସିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ କର୍ପୋରେଟର ପ୍ରଳୟା ବେହୁରା । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସ୍ପଷ୍ଟ କରିଛନ୍ତି ସେ। ଏହା କେବଳ ରାଜନୈତିକ ଉଦେଶ୍ୟ । ଗୋଟିଏ ନାରୀ ହୋଇ ଅନ୍ୟ ଏକ ନାରୀର ଇଜ୍ଜତକୁ କିପରି ନିଲାମ କରିବା ପାଇଁ ଚାହିଁବ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଳୟା । ଏହା ଏକ ରାଜନୈତି ଚକ୍ରାନ୍ତ । ଓ୍ବାର୍ଡର ସାଧାରଣ ଲୋକ ତାଙ୍କ ଆଚରଣ ଓ ଚରିତ୍ର କିଭଳି ତାହା ଭଲ ଭାବେ ଜାଣନ୍ତି ଵୋଲି କହିଛନ୍ତି ପ୍ରଳୟା ବେହୁରା ।
ତେବେ ଗୋଟିଏ ପଟେ ଅନ୍ଦରପୁର EWS ଫ୍ଲାଟ ଦୁର୍ନୀତି ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲାବେଳେ ଏବେ ଆବାସ ଯୋଜନାରେ ଶାରୀରିକ ସମ୍ପର୍କ ରଖିବା କଥା ଚିନ୍ତାର କାରଣ ପାଲଟିଛି । ଘଟଣା କେତେ ସତ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ