ଭୁବନେଶ୍ବର: ସେଲ୍ଫ ଫାଇନାନ୍ସିଂ କୋର୍ସ ହେବ ମହଙ୍ଗା । ଚଳିତ ବର୍ଷ ଶିକ୍ଷା ବର୍ଷରୁ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ କୋର୍ସ କରିବାକୁ ପଡିବ ମହଙ୍ଗା। ଏନେଇ କୋର୍ସ ଫି ଓ ସିଟ୍ କ୍ଷମତାକୁ ବଢାଇ ଦିଆଯାଇ ଥିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଚଳିତ ବର୍ଷରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ କୋର୍ସ ମହଙ୍ଗା ହେବ । ତେଣୁ କୋର୍ସ ଫି ଏବଂ ସିଟ୍ କ୍ଷମତାକୁ ବଢ଼ାଇ ଦିଆଯାଇଥିବାବେଳେ, ପିପିପି ମୋଡରେ ଚାଲିଥିବା 5 ବର୍ଷିୟା ଇଣ୍ଟିଗ୍ରେଟେଡ୍ ଏମବିଏ, ଆଇଏମଏସସି ଇଟିସି, ଆଇଏମଏସସି ଏବଂ 2 ବର୍ଷିୟା ଏମଏଜେଏମସିର ଫି ସମେତ ସିଟର କ୍ଷମତା ବୃଦ୍ଧି କରାଯାଇଛି ।
ଅନ୍ୟପଟେ 5 ବର୍ଷିୟା ଇଣ୍ଟିଗ୍ରେଟେଡ ଏମବିଏ କୋର୍ସ ପାଇଁ ମୋଟ ଆକାରରେ 1 ଲକ୍ଷ 45 ହଜାର ଟଙ୍କା ଦେବାକୁ ପଡୁଥିବା ବେଳେ ଏହାକୁ 1 ଲକ୍ଷ 75 ହଜାରକୁ ବୃଦ୍ଧି କରାଯାଇଛି । ପ୍ରଥମ ତିନିବର୍ଷ ଛାତ୍ରଛାତ୍ରୀଙ୍କୁ ବାର୍ଷିକ 25 ହଜାର ଟଙ୍କା ଲେଖାଏଁ ଏବଂ ଶେଷ ଦୁଇବର୍ଷ ବାର୍ଷିକ 50 ହଜାର ଟଙ୍କା ଲେଖାଏଁ ଦେବାକୁ ପଡିବ । ଏହାର ସିଟ୍ କ୍ଷମତାକୁ 60 ରୁ 90 କୁ ବଢ଼ାଇ ଦିଆଯାଇଛି ।
ସେହିପରି 5 ବର୍ଷିୟା ଆଇଏମଏସସି-ଇଟିସି କୋର୍ସ ପାଇଁ 1 ଲକ୍ଷ 15 ହଜାର ଟଙ୍କା ରହିଥିବାବେଳେ ଏଣିକି 1 ଲକ୍ଷ 45 ହଜାର ଦେବାକୁ ପଡିବ । ଏହି କୋର୍ସ ପାଇଁ 48 ସିଟ୍ ରହିଥିବାବେଳେ ଏହାକୁ 60କୁ ବୃଦ୍ଧି କରାଯାଇଛି । ସେହିଭଳି 5 ବର୍ଷିୟା ଏମଏସସି ବାୟୋ ଟେକ୍ନୋଲୋଜି କୋର୍ସ ପାଇଁ 1 ଲକ୍ଷ ଟଙ୍କା ରହିଥିବାବେଳେ ଏଣିକି ଏହାକୁ 1 ଲକ୍ଷ 45 ହଜାରକୁ ବୃଦ୍ଧି କରାଯାଇଛି । ତେବେ ଏହାର ସିଟ୍ କ୍ଷମତାକୁ 48ରୁ 60କୁ ବୃଦ୍ଧି ପାଇଛି । ଏହାଛଡ଼ା 2 ବର୍ଷିୟା ଏମଏ ଜେଏମସି କୋର୍ସ ପାଇଁ 40 ହଜାର ବଦଳରେ ଛାତ୍ରଛାତ୍ରୀ ଏଣିକି ଦେବାକୁ ପଡିବ ୬୦ ହଜାର ଟଙ୍କା ।
ଏହାର ସିଟ୍ 48 ରୁ 60 କୁ ବୃଦ୍ଧି କରାଯାଇଛି । ଏହି ପାଠ୍ୟକ୍ରମ ଗୁଡିକ ନିର୍ଦ୍ଦିଷ୍ଟ କିଛି ସର୍ତ୍ତାବଳୀ ସହ କାର୍ଯ୍ୟକାରୀ ହେବ । ହେରିଟେଜ ଭିଜନ ଏଜୁକେସନ ଟ୍ରଷ୍ଟର ସହଭାଗିତାରେ ଏହି ପାଠ୍ୟକ୍ରମ ଜାରି ରଖିବାକୁ ବିଜେବି କଲେଜ ଅଧ୍ୟକ୍ଷଙ୍କୁ ଅନୁମତି ଦିଆଯାଇଛି । ପାଠ୍ୟକ୍ରମ ପାଇଁ କଲେଜ ପକ୍ଷରୁ ଯାଗା ଦିଆଯିବ। ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ ଉକ୍ତ ସଂସ୍ଥା ବହନ କରିବା ନେଇ ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର