କଟକ: ଅନେକ ପ୍ରକାରର କୃଷି ପଦ୍ଧତି ବିଷୟରେ ସମସ୍ତେ ଜାଣିଛନ୍ତି । କିନ୍ତୁ ଯୌଗିକ କୃଷି ପଦ୍ଧତି ବିଷୟରେ ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଜାଣନ୍ତୁ ଯୋଗ ଓ ଆଧ୍ୟାତ୍ମିକତାର ପ୍ରୟୋଗରେ କିଭଳି ଚାଷ ଓ ଚାଷୀଙ୍କ ସାମଗ୍ରୀକ ବିକାଶ ହୋଇପାରିବ। ଆଉ ଉତ୍ପାଦିତ ଫସଲ ହେବ ନିରୋଗ ଓ ପୃଷ୍ଟିକର । କଥାରେ ଅଛି "ଯେପରି ଅନ୍ନ ସେପରି ମନ" ଆଉ ଯେପରି ମନ ସେପରି ଶରୀର। ଅର୍ଥାତ ଖାଦ୍ୟର ପ୍ରଭାବ ଉଭୟ ମନ ଓ ଶରୀର ଉପରେ ପଡିଥାଏ । ତେଣୁ ଖାଦ୍ୟଶସ୍ୟର ଉତ୍ପାଦନକୁ ସଠିକ ମାର୍ଗରେ କରିବା ପାଇଁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆରମ୍ଭ କରିଛି ଜୈବିକ ଚାଷ ସହ ଯୌଗିକ ଚାଷ ପଦ୍ଧତି ।
ଯୋଗ ଦ୍ୱାରା ପରମାତ୍ମାଙ୍କ ଶକ୍ତି ଓ ପ୍ରକମ୍ପନ ଯୋଗୁଁ ଖାଦ୍ୟଶସ୍ୟ ସାତ୍ତ୍ବିକ ଓ ପୁଷ୍ଟିକର ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ମାଉଣ୍ଟଆବୁରେ ଥିବା ମୁଖ୍ୟାଳୟଠୁ କଟକ ବ୍ରହ୍ମକୁମାରୀ ଆଶ୍ରମ ସବୁଠି ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇଛି । ଏବେ ଉତ୍ତରାଖଣ୍ଡର ପନ୍ତନଗର କୃଷି ବିଶ୍ବବିଦ୍ୟାଳୟ ସମେତ ଭାରତର କିଛି କୃଷି ବିଶ୍ବବିଦ୍ୟାଳୟ ଏହି ଆଧ୍ୟାତ୍ମିକ କୃଷି ବା ଯୋଗ ସହିତ କୃଷି ପଦ୍ଧତିକୁ ଆପଣେଇ ଥିବା କହିଛନ୍ତି, ବ୍ରହ୍ମକୁମାରୀ ସଂସ୍ଥାର କୃଷି ଓ ଗ୍ରାମ ବିକାଶ ଅଭିଯାନର ଅଧ୍ୟକ୍ଷା ବ୍ରହ୍ମକୁମାରୀ ସରଳା ଦିଦି। ଏପରି ପଦ୍ଧତି ଆପଣେଇଲେ ଚାଷୀଟି ସହଜରେ ବାଧା ବିଘ୍ନକୁ ସାମ୍ନା କରିପାରିବ । ଚାଷୀ ଆତ୍ମହତ୍ୟା ଭଳି ଘଟଣା ଆଶାତୀତ ଭାବେ କମିବା ସହ ଚାଷ ପଦ୍ଧତିରେ ଯୋଗକୁ ଯୋଡିଲେ ଉତ୍ପାଦନରେ ଚମତ୍କାର ପ୍ରଭାବ ପଡୁଛି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସରଳା ଦିଦି।
ଆଜିକାଲି ସାରା ବିଶ୍ୱରେ ଖାଦ୍ୟ ଶସ୍ୟର ଉତ୍ପାଦନ ବଢାଇବା ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବ୍ୟବହାର କରାଯାଉଛି ଯାହାଫଳରେ ଖାଦ୍ୟ ଶସ୍ୟର ପୌଷ୍ଟିକତା କମିଯାଉଛି ଏବଂ ତାହା ପ୍ରଭାବରେ ମଣିଷ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ କମିଯାଉଛି। ଯୌଗିକ କୃଷି ପଦ୍ଧତିରେ ମଞ୍ଜି ବିଣିବାଠୁ ଆରମ୍ଭ କରି ଏହା ଅଙ୍କୁରିତ ହେବା ଓ ଗଛ ହେବା ପ୍ରକ୍ରିୟାରେ ଯାହା ସବୁ କାମ କରିବାକୁ ପଡେ । ମଞ୍ଜି ବୁଣିବା ପୂର୍ବରୁ ତାହାକୁ ୨ ଦିନ ଭଗବାନଙ୍କ ପାଖରେ ରଖି ଯୋଗ କରାଯାଏ । ଏହାପରେ ମାଟିରେ ଲଗାଇଯାଇ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଜୈବିକ ସାର ପ୍ରୟୋଗରେ ଏହି ଚାଷ କରାଯାଉଛି । ଛାତ ଉପରେ ବିଭିନ୍ନ ପ୍ରକାର ପନିପରିବା ଯେପରି କଲରା, ବାଇଗଣ, ପୋଟଳ କଖାରୁ, କାକୁଡି, ଲାଉ ଆଦି ଫସଲ ହସି ଉଠିଛି ।
ସେ ସମୟରେ ମଞ୍ଜି, ମାଟି, ଗଛ ଆଦିକୁ ସକାରାତ୍ମକ ଭାବନା ଦେଲେ ଇଶ୍ବରୀୟ ଚିନ୍ତା ଓ ଚେତନା ନେଇ ଚାଷ କାମ କଲେ ଉତ୍ପାଦନ ସମ୍ପୂର୍ଣ୍ଣ ସାତ୍ତ୍ଵିକ ହୋଇଥାଏ । ଏହା ସହ ଏଭଳି ନିରନ୍ତର ଭାବେ ଚାଷ କଲେ ଚାଷୀର ମାନସିକ ଓ ଶାରିରୀକ ପରିବର୍ତ୍ତନ ସହ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ମଧ୍ୟ ହୋଇଥାଏ । ତେବେ ବିଭିନ୍ନ ଫଳ ଓ ପନିପରିବାରେ ଏହାର ପରୀକ୍ଷଣ କରାଯାଇ ସଫଳତା ହାସଲ କରାଯାଇଛି ବୋଲି କହିଛନ୍ତି ଝାଞ୍ଜିରି ମଙ୍ଗଳା ଆଶ୍ରମ କୃଷି ବିଭାଗ ବ୍ରହ୍ମକୁମାରୀ । ନୂଆ ଯୁଗ ପାଇଁ ନୂଆ ପ୍ରଚେଷ୍ଟା କେବଳ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟରେ ନୁହେଁ ବରଂ ଭାରତର କୋଣ ଅନୁକୋଣରେ ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଞ୍ଚିବ ବୋଲି ରହିଛି ଆଶା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ