ଭୁବନେଶ୍ବର: ଓଡ଼ିଆ ଟେଲିଭିଜନ ଜଗତରେ ଚହଳ ସୃଷ୍ଟି କରିଥିବା ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ମେଗା ଧାରାବାହିକ 'କେମିତି କହିବି କହ' ଜାନୁଆରୀ 25 ତାରିଖରୁ ପ୍ରସାରଣ ଆରମ୍ଭ କରିବ । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏହି ବ୍ୟୟବହୁଳ ମେଗା ଧାରାବାହିକ ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ସମସ୍ତ ବୈଶିଷ୍ଟ୍ୟକୁ ନେଇ ନିର୍ମିତ ହୋଇଛି ।
ଏହାର ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଜଣାଶୁଣା ଅଭିନେତ୍ରୀ ସୁପ୍ରିୟା । ଏହା ବ୍ୟତୀତ ଇଶା ବେବର୍ତ୍ତାଙ୍କ ସମେତ ଓଡ଼ିଆ ସିନେମାର ଅନେକ ପରିଚିତ ଅଭିନେତା ଓ ଅଭିନେତ୍ରୀଙ୍କୁ ଏଥିରେ ଦେଖିବାକୁ ମିଳିବ । 'କେମିତି କହିବି କହ' ହେଉଛି ସିଦ୍ଧାନ୍ତଙ୍କ ଅଭିନୀତ ପ୍ରଥମ ମେଗା ଧାରାବାହିକ ଏବଂ ଓଡ଼ିଆ ଟେଲିଭିଜନ ଇତିହାସର ସବୁଠୁ ବ୍ୟୟ ବହୁଳ ସିରିୟଲ । ସିଦ୍ଧାନ୍ତଙ୍କ ଅସଂଖ୍ୟ ପ୍ରଶଂସକ ଏବଂ ଛୋଟ ପରଦାର ଅଗଣିତ ଦର୍ଶକଙ୍କ ପାଇଁ ଏହା ସବୁଠୁ ବଡ ଉପହାର । ଓଡ଼ିଆ ସିନେମାର ସଫଳ ନିର୍ଦ୍ଦେଶକ ସୁଶାନ୍ତ ମଣି ମେଗା ଧାରାବାହିକ 'କେମିତି କହିବି କହ'ର ନିର୍ଦ୍ଦେଶନା ଦାଇତ୍ବ ତୁଲାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ଏବଂ କ୍ୟାମେରା ପରିଚାଳନା କରିଛନ୍ତି ବଲିଉଡର ସୁପରିଚିତ କ୍ୟାମେରାମ୍ୟାନ ଚନ୍ଦ୍ରଶେଖର ରଥ ଓ ଓଲିଉଡ଼ର ଜଣାଶୁଣା କ୍ୟାମେରାମ୍ୟାନ ସୀତାଂଶୁ ମହାପାତ୍ର ।
ନୂଆ କିଛି କରିବାର ଆଭିମୁଖ୍ୟ ନେଇ ଓଡ଼ିଆ ଧାରାବାହିକ ଜଗତରେ ପାଦ ରଖିଥିଲା ଅକ୍ଷୟ ପରିଜା ପ୍ରଡକ୍ସନ । ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ଧାରାବାହିକ ଗୁଡିକ ଟିଆରପି ରେଟିଂରେ ଆଗରେ ରହିବା ସହିତ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ଏହି କ୍ରମରେ 'କେମିତି କହିବି କହ' ଆଉ ଏକ ଉଲ୍ଲେଖନୀୟ ପ୍ରୟାସ । ସୁପରଷ୍ଟାର ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ ଏହା ଏକ ଫାଇନାଇଟ ସିରିଜ । ଏଥିରେ ସବୁକିଛି ପୂର୍ବ ନିର୍ଦ୍ଧିଷ୍ଟ । କିଛି ବି ପରିବର୍ତ୍ତନ କରାଯାଇ ପାରିବ ନାହିଁ, ଯାହାକି ତଥାକଥିତ ଧାରାବାହିକରେ ଦେଖିବାକୁ ମିଳେ ନାହିଁ |' ପ୍ରସାରଣ ସମ୍ପର୍କରେ ପ୍ରଯୋଜକ ଅକ୍ଷୟ ପରିଜା କୁହନ୍ତି, ' କେମିତି କହିବି କହ ଏକ ଧାରାବାହିକ ନୁହେଁ, ଏକ ବିରାଟ ପରିକଳ୍ପନା । ନିର୍ମାଣଶୈଳୀ ଓ କୌଶଳଗତ ଦୃଷ୍ଟିରୁ ଏହାକୁ ଆଶାତୀତ ଦାର୍ଶକୀୟ ସମର୍ଥନ ମିଳିବ ବୋଲି ନିଃସନ୍ଦେହରେ ଏବେଠୁ କୁହାଯାଇପାରେ । କୋରୋନାର ସଙ୍କଟ କାଳରେ ଯେତେବେଳେ ସମସ୍ତେ ଜୀବନ ଓ ଜୀବିକା ପାଇଁ ସଂଘର୍ଷରତ, ସେପରି ଏକ ଘଡ଼ିସନ୍ଧି ମୁହୁର୍ତରେ ଏହି ବିରାଟ ପ୍ରକଳ୍ପର ପରିକଳ୍ପନା ନିଶ୍ଚିତ ଭାବରେ କଳାକାର ଓ ଟେକନିସିଆନଙ୍କ ମନରେ ଆଶା, ବିଶ୍ବାସ ଓ ଭରସା ଆଣିଦେଇଛି । ଏଥିପାଇଁ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନିରନ୍ତର ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ