ଭୁବନେଶ୍ବର: ଦେଶର 15 ତମ ରାଷ୍ଟ୍ରପତି ପାଇଁ ଭୋଟ ଦେଉଛି ଭାରତବର୍ଷ । କଚରୁ କୋହିମା କାଶ୍ମୀରୁ କନ୍ୟାକୁମାରୀ ସାରା ଦେଶର ବିଧାୟକ ସାଂସଦ ନୂଆ ମହାମହିମ ପାଇଁ ମତଦାନ ଦେଇଛନ୍ତି । ତେବେ ଖବର ଅନୁସାରେ ସାରା ଦେଶରେ କ୍ରସ ଭୋଟିଂ ହୋଇଛି । ଯେଉଁଥିରୁ ଓଡିଶା ମଧ୍ୟ ବାଦ ପଡିନାହିଁ । ପାର୍ଟିର ନିଷ୍ପତିକୁ ଅଣଦେଖା କରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଘୋଷଣା କରିଛନ୍ତି । ଯାହାକୁ ନେଇ କଂଗ୍ରେସରେ ଏବେ ସୃଷ୍ଟି ହୋଇଛି କମ୍ପନ ।
ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ଦଳୀୟ ହ୍ୱିପ ନ ଥିବା ବେଳେ ନିଜ ବିବେକ ଅନୁସାରେ ମାଟିର ଝିଅଙ୍କୁ ଭୋଟ ଦେଇଛି । ରାଷ୍ଟ୍ରପତି ପଦ ହେଉଛି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ଯଦି ମୁଁ ଦ୍ରୌପଦୀଙ୍କ ବିଜୟରେ କିଛି ସହଯୋଗ କରିପାରିବି ତେବେ ମୋ ପାଇଁ ଏହା ଗର୍ବର ବିଷୟ ବୋଲି ମୋକିମ କହିଛନ୍ତି । ଏହାକୁ ନେଇ ସେ କୌଣସି ଅନୁତାପ କରୁନାହାଁନ୍ତି ବୋଲି ମଧ୍ୟ କହିଛନ୍ତି ।
ଅନ୍ୟପଟେ ବିଧାୟକ ମହମ୍ମଦ ମୋକିମଙ୍କ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏନଡିଏ ପକ୍ଷରୁ ଓଡିଆ ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ପ୍ରତି ସାରା ଦେଶରୁ ସମର୍ଥନର ସୁଅ ଛୁଟିଥିଲା ।ରାଜନୈତିକ ମତପାର୍ଥକ୍ୟ ଓ ବିରୋଧ ସତ୍ତ୍ୱେ ମୋଦିଙ୍କ ନିଷ୍ପତି ସହ ସାରା ଦେଶର ଅନେକ ରାଜନୈତିକ ଦଳ ସ୍ୱର ମିଳାଇ ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଆଜି ଭୋଟ ହେଉଥିବା ବେଳେ ଓଡିଶା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓଡିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଥିବା ଘୋଷଣା କରିଛନ୍ତି । ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ତାଙ୍କ ନିଷ୍ପତିକୁ ମୁଁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର