ଭୁବନେଶ୍ବର: ବଜେଟ ପ୍ରସ୍ତୁତିରେ ସ୍ବଚ୍ଛତା ବଜାୟ ରଖି ଚର୍ଚ୍ଚାରେ ଓଡିଶା। ସମଗ୍ର ଦେଶରେ 3 ନମ୍ବର ସ୍ଥାନରେ ରହିଲା ରାଜ୍ୟ । ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରକାଶ ପାଇଥିବା ଟ୍ରାନ୍ସପାରେନ୍ସି ଇନ ବଜେଟାରୀ ପ୍ରୋସେସ ରିପୋର୍ଟରେ ଏହା ଉଲ୍ଲେଖ ରହିଛି।

ତାଲିକାର ଶୀର୍ଷରେ ଆସାମ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ଦ୍ଵିତୀୟ ସ୍ଥାନରେ ରହିଛି। ସେହିପରି ତାଲିକାର ଶେଷରେ ଗୋଆ, ମହାରାଷ୍ଟ୍ର ଓ ପଞ୍ଜାବ ରହିଛନ୍ତି। ବଜେଟାରୀ ପ୍ରୋସେସ, ସିଟିଜେନ ଫ୍ରଣ୍ଡଲି, ବଜେଟ ପରବର୍ତ୍ତୀ ଆର୍ଥିକ ପରିଚାଳନା କ୍ଷେତ୍ରରେ ବିଭିନ୍ନ ରାଜ୍ୟର ପ୍ରଦର୍ଶନକୁ ଭିତ୍ତି କରି ଏହି ତାଲିକା ପ୍ରସ୍ତୁତ ହୋଇଥାଏ।

ତେବେ ଗତକିଛି ବର୍ଷ ଧରି ରାଜ୍ୟ ସରକାର ବଜେଟ ପରିଚାଳନା ଓ ଆର୍ଥିକ ସଂସ୍କାର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ବଜେଟ ପ୍ରସ୍ତୁତ ପୂର୍ବରୁ ସାଧାରଣ ଲୋକଙ୍କ ମତାମତକୁ ପ୍ରାଧାନ୍ୟ ଦେବାକୁ ଯାଇ ସେମାନଙ୍କ ମତ ବିଭିନ୍ନ ମାଧ୍ୟମରେ ନିଆଯାଇଥାଏ। ବିଶେଷଜ୍ଞ, ବିଶାରଦଙ୍କ ମତ ନେଇ ବଜେଟକୁ ଏକ ପୂର୍ଣ୍ଣାଙ୍ଗ ରୂପ ଦେଇଥାନ୍ତି ଓଡିଶା ସରକାର।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ