ଭୁବନେଶ୍ବର: ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ରାଜ୍ୟର ୩ଟି ବିଭାଗରେ ୩ଟି ପୌରପାଳିକାକୁ ସର୍ବୋତ୍ତମ ଘୋଷଣା କରିଛନ୍ତି ନୀତି ଆୟୋଗ । ଏହାକୁ ନେଇ ଡିସେମ୍ବର ୬ ତାରିଖରେ ପ୍ରେସ ରିଲିଜ୍ ଜାରି କରିଛନ୍ତି । ଏହାକୁ ନେଇ ନୀତି ଆୟୋଗ ପକ୍ଷରୁ ଏକ ଡକ୍ୟୁମେଣ୍ଟସନ କରାଯାଇଥିଲା । ଏଥିରେ ୧୫ଟି ରାଜ୍ୟର ୨୮ଟି ସିଟି ସାମିଲ ଥିଲେ ।
ଏହି କ୍ରମରେ ଢେଙ୍କାନାଳ, କେନ୍ଦୁଝର ଓ ପାରାଦ୍ବୀପ ପୌରପାଳିକାକୁ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ସାମଗ୍ରୀକ ପ୍ରକ୍ରିୟାକରଣ, ବୈଷୟିକ ଉଦ୍ଭାବନ ଏବଂ ଅଭିନବ ମଡେଲରେ(Material Processing, Technological Innovation and Innovative Models) ସର୍ବୋତ୍ତମ ଘୋଷଣା କରାଯାଇଛି । ଢେଙ୍କାନାଳ ପୌରପାଳିକା ଶତ ପ୍ରତିଶତ ବର୍ଜ୍ୟବସ୍ତୁର ସାମଗ୍ରୀକ ପ୍ରକ୍ରିୟାକରଣ କରିଛି । ଏଥିପାଇଁ ସ୍ଥାନୀୟ ଲୋକ ଓ ସ୍ବୟଂ ସହାୟକ ଗୋଷ୍ଠୀର ବିପୁଳ ସହାୟତା ରହିଥିଲା ।
ପ୍ରଥମ ପୌରପାଳିକା ଭାବରେ ବର୍ଜ୍ୟବସ୍ତୁର ପୁନଃଉଦ୍ଧାର ତଥା ପରିଚାଳନା କରିଥିଲା ଢେଙ୍କାନାଳ । ସମସ୍ତ ପୌରପାଳିକା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ଏକ ବିକେନ୍ଦ୍ରୀକରମ ପ୍ରକ୍ରିୟା କରିଛନ୍ତି ରାଜ୍ୟ ସରକାର । ଏହାକୁ ପ୍ରତି ପୌରପାଳିକା ପାଇଁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ SOP ମଧ୍ୟ ଜାରି ହୋଇଥିଲା ।
ଏହି ଆଧାରକୁ କେନ୍ଦୁଝରରେ ସଠିକ ଢଙ୍ଗରେ ଲାଗୁ କରାଯାଇଥିଲା । ଅଧିକରୁ ଅଧିକ ପର୍ଯ୍ୟଟନସ୍ଥଳୀ ଥିବା ଏହି ଜିଲ୍ଲାରେ ପ୍ରତି ଦିନ ୨୬.୫ ଟନ୍ ବର୍ଜ୍ୟବସ୍ତୁ ପରିଚାଳନା ହେଉଛି । ଯଦି ହିସାବ କରାଯାଏ, ତେବେ ପ୍ରତି ବ୍ୟକ୍ତିଙ୍କ ପିଛା ୪୦୦ ଗ୍ରାମ ବର୍ଜ୍ୟବସ୍ତୁ ପରିଚାଳନା କରାଯାଇଛି । ଏଥିପାଇଁ GPS ଲାଗିଥିବା ବର୍ଜ୍ୟବସ୍ତୁ ଗାଡ଼ିର ବ୍ୟବହାର ହୋଇଥିଲା । ବର୍ଜ୍ୟବସ୍ତୁ ପାଇଁ ଏକ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ତିଆରି କରାଯାଇଛି ।
ସେହିଭଳି ରାଜଧାନୀଠାରୁ ୧୨୫ କିମି ଦୂରରେ ଥିବା ପାରାଦ୍ବୀପ ସହର ମଧ୍ୟ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଏଠାରେ ମଧ୍ୟ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ସହ କମ୍ୟୁନିଟି ଡ୍ରିଭେନ ମଡେଲର ବ୍ୟବହାର କରାଯାଉଛି । ଯେଉଁଥିରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ, କିନ୍ନର ସଂଘ ଓ ବର୍ଜ୍ୟବସ୍ତୁ ଗୋଟାଳୀ ସଂଘର ବିପୁଳ ସହୟତା ରହିଥିଲା ।
ନୀତି ଆୟୋଗ ପକ୍ଷରୁ ଏହି ୩ ପୌରପାଳିକା ୩ଟି କ୍ଷେତ୍ରରେ ସର୍ବୋତ୍ତମ ଘୋଷଣା କରାଯାଇଛି । ବିଶେଷ କରି କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏହି ୩ ପୌରପାଳିକା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ