ଭୁବନେଶ୍ବର: ଓଡ଼ିଶା ମହିଳା ଫୁଟବଲ ଲିଗର ସପ୍ତମ ଦିନରେ 3ଟି ମ୍ୟାଚ ଖେଳାଯାଇଛି। ଆଜି(ବୁଧବାର) ଖେଳାଯାଇଥିବା ଗୋଟିଏ ମ୍ୟାଚ ଟାଇ ରହିଛି। ସେହିଭଳି ଗୋଟିଏ ମ୍ୟାଚରେ ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଳବ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ଇଷ୍ଟକୋଷ୍ଟ ରେଲୱେ ବିଜୟ ଲାଭ କରିଛି।
ସପ୍ତମ ଦିନର ପ୍ରଥମ ମ୍ୟାଚ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଳବ ଓ ଓଜିପି ମଧ୍ୟରେ ଖେଳା ଯାଇଥିଲା । ପୂର୍ବାହ୍ନରେ ଖେଳାଯାଇଥିବା ଏହି ମ୍ୟାଚରେ ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଳବର ଖେଳାଳିମାନେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚକୁ 4-0ଗୋଲରେ ଜିତି ନେଇଛି ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଳବ।
ଖେଳ ଆରମ୍ଭ ହେବାପରେ 5ତମ ମିନିଟ ଓ 10ତମ ମିନିଟରେ କ୍ଳବର ଯଶୋଦା ମୁଣ୍ଡା ଦୁଇଟି ଗୋଲ ଦେଇଥିଲେ। ଏହାପରେ ମ୍ୟାଚର ଦ୍ବିତୀୟାର୍ଦ୍ଧରେ କାମିନୀ ମୁଣ୍ଡା ଓ ସୁମିତ୍ରା ଯଥାକ୍ରମେ 51 ଓ 55 ମିନିଟ ରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ସେପଟେ ବିପକ୍ଷ ଓଜିପି ଦଳ ସଂଘର୍ଷ ଜାରି ରଖିଥିଲେ ମଧ୍ୟ କୌଣସି ଗୋଲ ଦେବାକୁ ସକ୍ଷମ ହୋଇ ନଥିଲେ।
ସେହିପରି ଆଜି(ବୁଧବାର) ଅପରାହ୍ନରେ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚରେ ପୂର୍ବତଟ ରେଲୱେ ଓ ଓଡ଼ିଶା ପୋଲିସ ମଧ୍ୟରେ ହୋଇଥିଲା ଟକ୍କର। ଏହି ମ୍ୟାଚକୁ ପୂର୍ବତଟ ରେଲୱେ 1-0 ଗୋଲରେ ଜିତି ନେଇଛି। ଏହି ମ୍ୟାଚ ମଧ୍ୟ ସଂଘର୍ଶପୂର୍ଣ୍ଣ ରହିଥିଲା।
ସେହିପରି ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ସାଇ ଏସଟିସି ଓ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ ଡ୍ର' ରହିଛି। ଉଭୟ ଶେଷ ପର୍ଯ୍ୟନ୍ତ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ତେବେ ମ୍ୟାଚଟି 2-2ଗୋଲରେ ଡ୍ର' ରହିଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ