ଭୁବନେଶ୍ବର: ରାଜ୍ୟରେ ସୋମବାର ଠାରୁ ଆରମ୍ଭ ହୋଇଛି ଟେଲି ମେଡିସିନ୍ ସେବା । କୋଭିଡ୍ କଟକଣା ପରିସ୍ଥିତି ଦୃଷ୍ଟିରୁ ସାଧାରଣ ରୋଗୀ ଡାକ୍ତରଖାନା ଯିବା ସମ୍ଭବ ହୋଇପାରୁ ନଥିବାବେଳେ ଡାକ୍ତରୀ ପରାମର୍ଶ ପାଇପାରୁ ନାହାଁନ୍ତି । ଏହାର ପ୍ରତିକାର ସ୍ୱରୂପ ସରକାର ଆରମ୍ଭ କରିଛନ୍ତି ଟେଲି ମେଡିସିନ୍ ସେବା । ଏହା ଦ୍ୱାରା ରୋଗୀ ଫୋନ୍ ମାଧ୍ୟମରେ ଡାକ୍ତରଙ୍କ ସହ ସିଧାସଳଖ ଯୋଗାଯୋଗ କରି ରୋଗର ଉପଚାର ପାଇପାରିବେ ।
ଏହି ସେବା ପ୍ରଥମେ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭ଟି ସରକାରୀ ମେଡିକାଲ୍ କଲେଜ୍, ରାଉରକେଲାର ଆର୍ଜିଏଚ୍, ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲ୍, କଟକସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତ୍ତର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଉପାଧ୍ୟୁତ୍ତର ଶିଶୁରୋଗ ପ୍ରତିଷ୍ଠା ଏହିପରି ମୋଟ ୪୧ଟି ସ୍ଥାନରେ ଆରମ୍ଭ ହୋଇଛି ।
30 ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍, ବଲାଙ୍ଗୀରର ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ବାଲେଶ୍ୱରର ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଏହି ସେବା ବହିର୍ବିଭାଗ ସମୟ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମିଳିପାରିବ ।
ସେହିପରି କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ବ୍ରହ୍ମପୁରର ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ବୁର୍ଲାର ଭୀମ୍ସାର, କଟକସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତ୍ତର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଉପାଧ୍ୟୁତ୍ତର ଶିଶୁରୋଗ ପ୍ରତିଷ୍ଠାନରେ ୨୪ ଘଣ୍ଟିଆ ଟେଲି ମେଡିସିନ୍ ସେବା ଉପଲବ୍ଧ ହେବ ।
ଏହି ଟେଲି ମେଡିସିନ୍ ସେବା ପାଇଁ ଓକାକ୍ ତରଫରୁ ପ୍ରତି କେନ୍ଦ୍ରକୁ ୨ଟି ଲେଖାଏଁ ମୋବାଇଲ୍ ସେଟ୍ ହିସବାରେ ମୋଟ ୮୨ଟି ସେଟ୍ ଯୋଗାଇ ଦିଆଯାଇଛି । ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସ୍ୱାସ୍ଥ୍ୟ ଓ
ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଂପୃକ୍ତ କେନ୍ଦ୍ରରେ ନିୟୋଜିତ ମୋବାଇଲ୍ ନମ୍ବର ଏକ ସାରଣୀ ଏଥିସହ ସଂଲଗ୍ନ କରାଗଲା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ